ବାଟବଣା ସରକାରୀ ଯୋଜନା : ବୃତ୍ତି ଛାଡୁଛନ୍ତି ବୁଣାକାର

ନବରଙ୍ଗପୁର : ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କଲେ ନବରଂଗପୁର ଜିଲ୍ଲାର ବୁଣାକାର ଏବେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ ପୁଳାଏ ପ୍ରତିଶୃତି ଓ ଆକାଶର ଚାନ୍ଦ ହାତରେ ଧରେଇବାର ଆଶା ଦେଖାଇଛନ୍ତି । ନିଜ ପରିବାରର ବଂଶାନୁଗତ ପାରମ୍ପାରିକ ବୃତ୍ତିକୁ ଆପଣେଇ ଏବେ ନିରାଶ ଅବସ୍ଥା ରେ ଜୀବିକା ନିର୍ବାହ କରୁଛନ୍ତି । ସରକାରୀ ପ୍ରତ୍ସାହନ କେବଳ ପ୍ରତିଶୃତି ମଧ୍ୟରେ ସୀମିତ ହୋଇ ରହିଯାଇଛି । ଆୟର ପନ୍ଥା ମାଧ୍ୟମରେ ବୁଣା ବୃତ୍ତିକୁ ଅବଲମ୍ବନ କରି ପରିବାର ଚଳଣୀରେ କଷ୍ଟସାଧ୍ୟ ହେଉଥିବାରୁ ପୋଡଶୀ ରାଜ୍ୟରେ ଦାଦନ ଖଟିବାକୁ ଓ ହୋଟେଲରେ ଦୈନିକ ମଜୁରୀ ଭାବରେ କାମ କରିବାକୁ ବାଧ୍ୟ ହୋଇଛନ୍ତି। ତେଣେ ପ୍ରଶାସନ ଅଧିକାରୀ ମାନେ ସେମାନଙ୍କ ପାଖକୁ ଯାଇ ଅନେକ ରଚନା ଗାଇ ଉଚ୍ଚ ପ୍ରଶଂସା ମାଧ୍ୟମରେ ଏହି ବୁଣା ଶାଢୀ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ କରିବା ସହ ଆମ ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇପାରିଛି ବୋଲି କହି ବାହା ବାହା ନେଉଛନ୍ତି। ହେଲେ ତୃଣମୂଳ ସ୍ତରରେ ଏଥିପାଇଁ କଞ୍ଚାମାଲର ଆବଶ୍ୟକତା, ପାରିଶ୍ରମିକ, ସରକାରୀ ପ୍ରତ୍ସାହନ, ବ୍ୟବସାୟ ପାଇଁ ବଜାର,ଦରଦାମ ନିର୍ଦ୍ଧାରିତ କରିବା, ଉଚ୍ଚ ସମ୍ପନ୍ନ ତଥା ଆଧୁନିକ ଯନ୍ତ୍ରପାତି ଯୋଗାଇବା, ଯଥେଷ୍ଟ ଉତ୍ପାଦ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀର ଆବଶ୍ୟକତା ରହିଛି। କେବଳ କଥାରେ ଏସବୁ ପୂରଣ ହୋଇ ପାରିବ ନାହିଁ।

ପ୍ରଶାସନ ଏଥିପାଇଁ ମଧ୍ୟ ଏକ ସ୍ବତନ୍ତ୍ର ସମିତି ଗଠନ ପୂର୍ବକ ସରକାରୀ ହୋର୍ଡିଂ ମାଧ୍ୟମରେ ତନ୍ତଶାଳା ତଥା ଗୃହ ନିର୍ମାଣ କରିବାକୁ ୨୫ ବର୍ଗ ମିଟର ମଧ୍ୟରେ ୧୨୦୦୦୦ ଟଙ୍କା ଓ ପାହିସାଳର ଢଳେଇକରଣ ପାଇଁ ୭ ହଜାର ଟଙ୍କା ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି। ହେଲେ ବୁଣାକାର ସୁରକ୍ଷିତ ତଥା ଉନ୍ନତ ପରିବେଶ ମଧ୍ୟରେ ବୁଣାକାର୍ଯ୍ୟ ସମ୍ପାଦନ ନିଜର ଅଣ ସଂରଖିତ,ଚାଳଛପର ଘର ଦୂଆର ରାସ୍ତା ପାଖରେ କରୁଥିବା ଦେଖିବାକୁ ମିଳୁଛି। ବରିଷ୍ଠ ବୁଣାକାର ସହାୟତା ଯୋଜନା ମାସିକ ଭତ୍ତା ଦୂର କଥା ସଠିକ ଚୟନ କରା ନ ଯିବା ଦୂର୍ଭାଗ୍ୟଜନକ। ତନ୍ତୁ ଓ ସୁରକ୍ଷିତ ତନ୍ତୁ ସରଞ୍ଜାମ ଯୋଜନା ମାଧ୍ୟମରେ ୯୦ ପ୍ରତିଶତ ସହାୟତା ବୁଣାକାରଙ୍କ ପାଇଁ ସ୍ବପ୍ନ ପାଲଟିଛି। ଏହାଛଡା ତାଲିମ ଦେବା ସହ ନୂଆଁ ଡିଜାଇନ ତିଆରି କରିବାକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରିବାରେ ମଧ୍ୟ ଅବହେଳା କରାଯାଇଛି। ଦିନକୁ ଦିନ କାରିଗରୀଙ୍କୁ ଓ ତାଙ୍କ ପରିବାରରେ ବ୍ୟାପକ ସମସ୍ୟା ଦେଖା ଯାଉଥିବାରୁ ସାନମସିଗାଁ ଭଳି ବଡମସିଗାଁ,ନବରଂଗପୁର ବ୍ଲକର ଚଟାହାଣ୍ଡି,ଡାବୁଗାଁର ବାଇଗାଁ,ପାପଡାହାଣ୍ଡି ବ୍ଲକର ଖରକି ଓ ଡେଙ୍ଗାତୋଟାଗୁଡା ଠାରେ ଏହି ବୃତ୍ତିଗତ ତଥା କୌଳିକ ବୃତ୍ତିକୁ ଆପଣେଇ ପରିବାର ପ୍ରତିପୋଷଣ କରୁଥିବା ଲୋକେ ବର୍ତ୍ତମାନ ମୁହଁ ଫେରାଇ ଆସିଲେଣି। ଅନ୍ୟ ପଟେ ସରକାରଙ୍କ ତନ୍ତୁ ସମବାୟ ସହୋଯୋଗ ସମିତି ବନ୍ଦ ପଡିବା ଓ ଏଥିପାଇଁ ଦାୟିତ୍ବହୀନତାକୁ ନେଇଁ ବୁଣାକାର ଉଚିତ ମୂଲ୍ୟ ହାରରେ କଞ୍ଚାମାଲରେ ସୂତା,ରଙ୍ଗ ଆଦି ପାଇପାରୁ ନାହାନ୍ତି। ଏଥିପାଇଁ ସେମାନଙ୍କୁ ଜିଏସଟି ସହିତ ଉଚ୍ଚ ଦରରେ ବାହାର ଜିଲ୍ଲା ତଥା ରାଜ୍ୟ ଠାରୁ କ୍ରୟ କରିବାକୁ ପଡୁଛି। ବୁଣାକାର ହାତରେ ପ୍ରସ୍ତୁତ ହେଉଥିବା ଗାମୁଛା, ଶାଢୀ, ଡ୍ରେସ କପଡା, ଚୁନରୀ, ରୂମାଲ ଆଦି ସରକାରଙ୍କ ବୟନ ବିଭାଗ ଦ୍ବାରା ମୂଲ୍ୟ ନିର୍ଦ୍ଧାରିତ ହୋଇ କିଣାଯାଉଥିଲେ, ଉଚିତ ମୂଲ୍ୟ ପାଇଥାନ୍ତେ ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ସେମାନେ ବାଧ୍ୟ ହୋଇ ଦଲାଲଙ୍କ ଦ୍ବାରା ବିକ୍ରି କରି ନିଜ ପାରିଶ୍ରମିକ ବଦଳରେ କମ୍ ମୂଲ୍ୟ ପାଉଛନ୍ତି ।

ଗୋଟିଏ ଶାଢୀ ପ୍ରସ୍ତୁତି କରିବା ପାଇଁ ଅନ୍ୟୁନ୍ୟ ତିନି ଦିନର ସଠିକ ସମୟ ବିନିଯୋଗରେ ହୋଇପାରୁଛି। ଦଲାଲଙ୍କ ଅର୍ଡରକୁ ନେଇଁ ସେମାନେ ଜିନିଷ ପ୍ରସ୍ତୁତ କରୁଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ ବିଧାୟକ ରାଜ୍ୟ ସରକାରଙ୍କ ଶ୍ରୀମତୀ ପଦ୍ମିନୀ ଦିଆନ ବିଭାଗୀୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଥିବା ସମୟରେ ବୁଣାକାର ମାନଙ୍କ ଯତ୍ କିଞ୍ଚିତ୍ ଭାଗ୍ୟ ଭବିଷ୍ୟତ ପରିବର୍ତ୍ତନ ହେବାର ଆଶା ସଞ୍ଚାର ହୋଇଥିଲା। କିନ୍ତୁ,ମନ୍ତ୍ରୀ ପଦବୀ ହରାଇବା ପରେ ସେହି ଆଶା ବି ମଉଳି ଯାଇଛି। ଓଡିଶାରେ ବିଭିନ୍ନ ଅଞ୍ଚଳର ଶାଢୀ,ପାଟ ନାମରେ ପ୍ରସିଦ୍ଧି ଲାଭ କରିଥିବା ଯଥା ସମ୍ବଲପୁରୀ ବ୍ରହ୍ମପୁର ପାଟ,ଯାଜପୁର ଜରୀ ଶାଢୀ ଆଦି ଅନ୍ତର୍ଜାତୀୟ ସ୍ତରରେ ଏହାର ନାମ ରହିଛି। ସେହିପରି ନବରଂଗପୁର ମାଟିରେ ମଧ୍ୟ ପୂର୍ବଜଙ୍କ ତଥା ଗାନ୍ଧୀଜୀଙ୍କ ଆହ୍ବାନ ବେଳ ଠାରୁ ଅଖ ଦ୍ବାରା ସୂତା କାଟି ବସ୍ତ୍ର ପ୍ରସ୍ତୁତି କରିବା ଆରମ୍ଭ ହୋଇଥିଲେ ସୁଦ୍ଧା ଏହାକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପ୍ରଶାସନର କିମ୍ବା ସ୍ଥାନୀୟ ନେତାଙ୍କ ଗୁରୁତ୍ତ୍ବ ଆଜି ପର୍ଯ୍ୟନ୍ତ ଦିଆ ନ ଯିବା ଦୂର୍ଭାଗ୍ୟଜନକ। ସାନମସିଗାଁର 1981 ମସିହାରେ ପ୍ରତିଷ୍ଠିତ ଜନନୀ ମାତା ତନ୍ତୁବାୟ ସହଯୋଗ ସମିତି ଆରମ୍ଭ ଦିନରୁ ବନ୍ଦ ପଡିଥିବା ସମିତିର ସମ୍ପାଦକ ଭଗବାନ ତନ୍ତି ଓ ସଭାପତି ମହାଦେବ ତନ୍ତି ପ୍ରକାଶ କରିଛନ୍ତି। ପ୍ରଶାସନ ପାଖରେ ଗୁହାରୀ କରିବା ସାର ହେଉଛି ବୋଲି ସେମାନଙ୍କର ମତ। ଅନ୍ୟମାନଙ୍କ ମଧ୍ୟରେ ମୂରଲୀଧର ତନ୍ତି,ଲଳିତ ତନ୍ତି,ଗୋବିନ୍ଦ ତନ୍ତି,କାଶିନାଥ ତନ୍ତି,ଉର୍ଦ୍ଧବ ତନ୍ତି ଭଳି ଅନେକ ପରିବାରର ସ୍ତ୍ରୀ ପିଲାମାନଙ୍କ ଭବିଷ୍ୟତକୁ ନେଇ ବିକଳ୍ପ ରାସ୍ତା ଦେଖିବାକୁ ବାଧ୍ଯ ହେଉଛନ୍ତି। କଳା,ସଂସ୍କୃତି ଓ ପରମ୍ପରାକୁ ନେଇଁ ନବରଂଗପୁର ଜିଲ୍ଲାର ନାମ କରଣ ହୋଇଥିବା ଏକ ପ୍ରକାର ବିଶ୍ବାସ ରହିଛି। ମଞ୍ଚ ଉପରେ ଏହାକୁ ନେଇଁ ଅନେକ ସମୟରେ ଇନ୍ଦ୍ରଧନୁର ସାତଟି ରଙ୍ଗ,ନବରଂଗପୁରର ନଅଟି ରଙ୍ଗ ବୋଲି କୁହାଯାଉଛି। କିନ୍ତୁ,ବାସ୍ତବିକତାକୁ ପରଖିଲା ବେଳକୁ ନବରଙ୍ଗରେ ପୂର୍ଣ ନବରଂଗପୁର ଏହି କଳା,ସଂସ୍କୃତି ଓ ପରମ୍ପରା ଆଜି ସୁପ୍ତ,ଲୁପ୍ତ ହେବାକୁ ବସିଲାଣି। ରାଜ୍ୟ ପ୍ରଶାସନିକ କ୍ଷେତ୍ରରୁ ଅନେକ ଥର ପରିଦର୍ଶନ କରି ପ୍ରତିଶୃତି ଦେଇ ଫେରିଛନ୍ତି। ତଥାପି କୌଳିକ ବୃତ୍ତିକୁ ଆପଣେଇ ନେଇଥିବା ପରିବାର ବର୍ଗଙ୍କ ସ୍ବାର୍ଥସାଧନ ନ ହୋଇ ପାରିଲେ ଆଗାମୀ ଭବିଷ୍ୟତରେ ଜିଲ୍ଲାର ପରିଚୟ ଗୌଣ ହେବ ଓ ପଶ୍ଚାତାପ କରିବାକୁ ପଡିପାରେ ବୋଲି ବୁଦ୍ଧିଜିବୀଙ୍କ ମହଲରେ ପ୍ରକାଶ।

nis-ad
Leave A Reply

Your email address will not be published.