ବ୍ରହ୍ମପୁର (୨୬/୦୪) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୧ତମ ଜୟନ୍ତୀ ପାଳନ ଅନୁଷ୍ଠିତ ହୋଇଯାଇଛି l ଏମକେସିଜି ମେଡିକାଲ କଲେଜ ସମ୍ମୁଖସ୍ତ ମହାରାଜା ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମିତି ପକ୍ଷରୁ ସଭାପତି ବଂଶୀଧର ଭୂୟାଁ ମାଲ୍ୟାର୍ପଣ କରିବାପରେ ସେଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ୧୯୧୪ ମସିହାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପାରଳାଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ଡକାଇ ସମ୍ମିଳନୀର କାର୍ଯ୍ୟକ୍ରମ ପ୍ରତି ନିଜର ଅକୁଣ୍ଠ ସମର୍ଥନ ଘୋଷଣା କଲେ ଏବଂ ସ୍ୱତନ୍ତ୍ର ଓଡିଶା ଗଠନ ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ପ୍ରତିଜ୍ଞା କଲେ l ପରବର୍ତ୍ତୀ କାଳରେ ସେ ଦେଶ ମିଶ୍ରଣ ଆନ୍ଦୋଳନକୁ ଓଡିଶା ବାହାରେ ଏପରିକି ବିଲାତ ପର୍ଯ୍ୟନ୍ତ ପରିବ୍ୟାପ୍ତ କଲେ l ଗୋଲଟେବୁଲ ବୈଠକରେ କୃଷ୍ଣଚନ୍ଦ୍ରଙ୍କର ଐତିହାସିକ ଅଭିଭାଷଣ ଓ ଲଣ୍ଡନଠାରେ ଓଡିଶା ଭୋଜି ପରେ ଦେଶ ମିଶ୍ରଣର ଗୁରୁତ୍ୱ ବିଲାତର ବୁଦ୍ଧିଜୀବୀ ମହଲ ହୃଦୟଙ୍ଗମ କଲେ l ଏତେ ସଂଘର୍ଷ ଓ ତ୍ୟାଗରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ବର୍ତମାନ ଓଡିଶାର ଅସୁରକ୍ଷିତ ଭୌଗଳିକ ସ୍ଥିତି, ଜମି ଜଙ୍ଗଲ ଖଣି ବିକ୍ରି, ମଦର ପ୍ରଚାର ପ୍ରସାର କରି ଜନତାଙ୍କ ଧନ ଜୀବନ ଲୁଟ ସହ ନୀତି ନୈତିକତାକୁ ଧ୍ବଂସ ,ସାମାଜିକ ବାସନ୍ଦ ଭଳି ଘୃଣ୍ୟ ବ୍ୟବସ୍ଥା ଜରିଆରେ ଦଳିତ ଓ ମହିଳାଙ୍କୁ ଅତ୍ୟାଚାର,ଶିଳ୍ପ ନାଁ ରେ ନିରୀହ ଜନତାଙ୍କୁ ନିଜ ଜୀବନ ଜୀବିକାରୁ ବିସ୍ଥାପନ, ଓଡ଼ିଆ ଭାଷା ଓ ବରପୁତ୍ରଙ୍କ ପ୍ରତି ଚରମ ଅବହେଳା ଆଦି ବିପର୍ଯ୍ୟସ୍ତ ସ୍ଥିତିରେ ଓଡିଶା ଓ ଓଡିଶା ବାସୀ ରହିଥିବା ଏକ କ୍ଷୋଭର ବିଷୟ ବୋଲି ଆଜି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ l
ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ରଥ, ରାମଚନ୍ଦ୍ର ସାହାଣୀ, ଦୈତ୍ୟlରୀ ବେହେରା, ବୃନ୍ଦାବନ ପରିଡା,ପ୍ରଶାନ୍ତ କୁମାର ପଣ୍ଡା, ଅମୁଲ୍ୟ କୁମାର ପଣ୍ଡା, ଆଦିତ୍ୟ ରଥ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବ୍ରଜେନ୍ଦ୍ର କୁମାର ଦାସ, ଟି. ପି. ସାହୁ,ଡ଼ଃ.ଡମ୍ବୁରୁଧର ସାହୁ,କରୁଣାକର ଗୌଡ଼, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାବତ,ସମାଜସେବୀ ପ୍ରଦୀପ ସେଠି, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l