ଟେଷ୍ଟ୍‌ ଦଳକୁ ଫେରିଲେ ରାହାଣେ: ବାଦ୍‌ ପଡ଼ିଲେ ଈଶାନ, ସୂର୍ଯ୍ୟକୁମାର, କୁଲଦୀପ

ମୁମ୍ବାଇ: ଆସନ୍ତା ଜୁନ୍‌ ୭ରୁ ଲଣ୍ଡନର ଦ ଓଭାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପାଇଁ ବଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଘରୋଇ କ୍ରିକେଟ୍‌ ସାଙ୍ଗକୁ ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରାହାଣେ ୧୫ ମାସ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ବର୍ଷ ଜାନୁଆରିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଭାରତ ୧-୨ରେ ଶୃଙ୍ଖଳା ହାରିବା ପରେ ରାହାଣେଙ୍କୁ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଥିଲା। ହେଲେ ଏବେ ଶ୍ରେୟସ ଆୟର ଆହତ ଥିବାରୁ ତାଙ୍କ ସ୍ଥାନ ପୂରଣ କରିବାକୁ ରାହାଣେଙ୍କୁ ସୁଯୋଗ ଦିଆଯାଇଛି। ଗତ ରଣଜୀ ଋତୁରେ ରାହାଣେ ୧୧ ପାଳିରୁ ୫୭.୬୩ ହାରରେ ୬୩୪ ରନ୍‌ ସଂଗ୍ରହ କରିଥିଲେ। ସେ ଦୁଇଟି ଶତକ ମାରିଥିଲା ବେଳେ ସେଥିରେ ଗୋଟିଏ ଦ୍ବିଶତକ (୨୦୪) ଅନ୍ତର୍ଭୁକ୍ତ ଥିଲା। ଏହାବାଦ୍‌ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୫ ମ୍ୟାଚ୍‌ ଖେଳି ୨୦୯ ରନ୍‌ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।
ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଶେଷ ଦୁଇ ମ୍ୟାଚ୍‌ରୁ ବାହାରେ ବସିଥିବା କେଏଲ୍‌ ରାହୁଲ ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ସୋମବାର ବିସିସିଆଇର ବରିଷ୍ଠ ଚୟନ ସମିତି ବୈଠକ ବସିଥିଲା ବେଳେ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ ଉପସ୍ଥିତିରେ ଏହି ଦଳ ଚୟନ ହୋଇଥିଲା। ଦଳରେ ଏଥର ତିନି ସ୍ପିନର ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ୍‌ ସ୍ଥାନ ପାଇଥିଲା ବେଳେ ଦ୍ରୁତ ବୋଲରଙ୍କ ମଧ୍ୟରେ ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଦ୍‌କଟ୍‌ ସାମିଲ ହୋଇଛନ୍ତି। ବିଦେଶରେ ପ୍ରଭାବୀ ପ୍ରଦର୍ଶନ ଦେଇଆସିଥିବାରୁ ଶାର୍ଦୁଳଙ୍କ ଉପରେ ଚୟନ କମିଟି ପୁନର୍ବାର ଆସ୍ଥା ପ୍ରକଟ କରିଛି। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ ଉପଲବ୍ଧ ହୋଇପାରୁନଥିବାରୁ କେଏସ୍‌ ଭରତ ଏକମାତ୍ର ୱିକେଟରକ୍ଷକ ଭାବେ ଦଳରେ ରହିଛନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଖେଳିଥିବା ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଓ କୁଲଦୀପ ଯାଦବଙ୍କୁ ଡବ୍ଲୁଟିସି ଫାଇନାଲ୍‌ ପାଇଁ ଦଳରୁ ବାଦ୍‌ ଦିଆଯାଇଛି। ସେହିପରି କୌଣସି ଉପଅଧିନାୟକଙ୍କ ନାମ ଘୋଷଣା କରାଯାଇନଥିବାରୁ ‌ଚେତେଶ୍ବର ପୂଜାରା ଏହି ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି।
‌ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ୍‌ ରାହୁଲ, କେଏସ୍‌ ଭରତ (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦ୍‌କଟ୍‌।

nis-ad
Leave A Reply

Your email address will not be published.