‘ଆସନ୍ତା କାଲି ବଞ୍ଚିବୁ କି ନାହିଁ, ତାହା ଜାଣିନୁ’ ଉଦ୍ଧାର ପାଇଁ ନିବେଦନ କଲେ ସୁଦାନରେ ଫସିରହିଥିବା ଭାରତୀୟ

ନୂଆଦିଲ୍ଲୀ : ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ସଂଘର୍ଷ ଜାରି ରହିଛି । ଏହା ଫଳରେ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ସଂକଟ ମାଡ଼ିଆସିଛି । ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଭାରତୀୟମାନେ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।
ସୁଦାନର ରାଜଧାନୀ ଖାରତୁମରେ ଫସି ରହିଥିବା ଭାରତୀୟଙ୍କ ଏକ ୩୧ ଜଣିଆ ଗୋଷ୍ଠୀ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛି । ସେମାନେଙ୍କ ମଧ୍ୟରୁ ଜଣେ ଏକ ଭାରତୀୟ ଗଣମାଧ୍ୟମକୁ କହିଛି ଯେ, ଆସନ୍ତା କାଲି ସେ ବଞ୍ଚିବେ କି ନା ତାହା ଜାଣିନାହାନ୍ତି । ବାହାରେ ଯୁଦ୍ଧ ଜାରି ରହିଥିବାବେଳେ ଘର ଛାଡ଼ିବା ସମ୍ଭବ ହେଉନାହିଁ । ଏଣୁ ଘରେ ରହିଲେ ସମସ୍ୟା ବଢିଚାଲିଛି ।
ଅନ୍ୟପକ୍ଷରେ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଭାରତ ସରକାର ୪ଟି ଦେଶର ସହାୟତା ନେଉଛନ୍ତି । ସେସବୁ ଦେଶ ହେଲେ ଆମେରିକା, ବ୍ରିଟେନ,ୟୁଏଇ ଓ ସାଉଦି ଆରବ ।

ଗତ ୧୪ ତାରିଖରୁ ସୁଦାନରେ ଆରମ୍ଭ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୨୭୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ବି ଅଛନ୍ତି । ଏହା ସହିତ ୨୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । କ୍ଷମତା ଉପରେ ନିୟନ୍ତ୍ରଣକୁ ନେଇ ସେଠାକାର ସେନା ଓ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପର୍ଟ ଫୋର୍ସ ( ଆରଏସଏଫ) ମଧ୍ୟରେ ସଂଘର୍ଷ ଚାଲିଛି ।

nis-ad
Leave A Reply

Your email address will not be published.