ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ତମାଣ୍ଡୋ, ମଞ୍ଚେଶ୍ୱର ଓ ପାହାଳରେ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଏଥିପାଇଁ ୪୫ଟିି ପଦବୀକୁ ମଧ୍ୟ ଅନୁମୋଦନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ନିୟୋଜିତ ହେବେ ୧୫ ଜଣ ଲେଖାଏଁ କର୍ମଚାରୀ। ପ୍ରତ୍ୟେକ ଅଗ୍ନିଶମ ସେବା କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ଜଣ ଫାୟାରମ୍ୟାନ ରହିବେ।