ପ୍ରାତଃଭ୍ରମଣବେଳେ ବ୍ୟକ୍ତିଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

ଆଲିଗଡ଼ : ପୁଣିଥରେ ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଦୌରାତମ୍ୟ। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବ୍ୟକ୍ତି ବୁଲା କୁକୁରଙ୍କ ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରରେ ଏପରି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍‌ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍‌ କରୁଥିବା ବେଳେ ହଠାତ୍‌ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ।
ସେମାନେ ମିଳିତ ଭାବେ ସଫଦରଙ୍କୁ ଝୁଣି ପକାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସଫଦର କୁକୁରଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିବା ଭିଡିଓରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.