ରାଉରକେଲାରେ ‘ଆଇପିଏଲ୍‌ ଫ୍ୟାନ୍‌ ପାର୍କ‌’

ରାଉରକେଲା : ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ଲାଇଭ୍‌ ମ୍ୟାଚ୍‌ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍‌ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍‌ ବିସିସିଆଇ ପକ୍ଷରୁ ‘ଫ୍ୟାନ୍‌ ପାକ୍‌’ର ବ୍ୟବସ୍ଥା କରାଯାଇଛି।

ଏନେଇ ଆଜି ‘ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ’ ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସୂଚନା ଦିଆଯାଇଥିଲା, ପୂର୍ବବର୍ଷ ଅପେକ୍ଷା ଏଥର ଆଇପିଏଲର ଚାହିଦା ବହୁମାତ୍ରାରେ ବଢ଼ିଛି। ପ୍ରଶଂସକଙ୍କ ପାଖରେ ପହଞ୍ଚିବାକୁ ଆୟୋଜକଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶଂସକମାନଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜକଙ୍କ ପକ୍ଷରୁ ଦେଶର ମୋଟ୍‌ ୪୫ଟି ସହରରେ ‘ଫ୍ୟାନ୍‌ ପାର୍କ’ ସୃଷ୍ଟି କରାଯାଉଛି। ଏହି କ୍ରମରେ ରାଉରକେଲାର ସେକ୍ଟର-୧୭ସ୍ଥ ପେଟ୍ରୋଲ ପମ୍ପ୍‌ ପଛପଟ ପଡ଼ିଆରେ ‘ଫ୍ୟାନ୍‌ ପାର୍କ‌୍’ ନିର୍ମାଣ କରାଯାଇଛି। ଆଗାମୀ ଦୁଇଦିନ, ଅର୍ଥାତ୍‌ ୧୫ ଓ ୧୬ ତାରିଖରେ ହେବାକୁ ଥିବା ରୟାଲ ଚାଲେଞ୍ଜର୍ସ‌୍ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍‌ସ, ଲକ୍ଷ୍ମୌ ସୁପର୍‌ଜାଏଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ‌୍ ଏବଂ ଗୁଜୁରାଟ ଟାଇଟନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ।

ଦର୍ଶକ ନିଜ ନିଜ ପସନ୍ଦର ଦଳ ଓ ଖେଳାଳି ତଥା କ୍ରିକେଟ୍‌କୁ ଭଲପାଇବା ପ୍ରଦର୍ଶନ କରିବେ। ଏହାସହ ସେମାନେ ନିଜର ଫ୍ୟାନ୍‌ ମୁହୂର୍ତ୍ତ ପ୍ରଦର୍ଶନ କରିବେ। ଯିଏ ସବୁଠାରୁ ଶ୍ରେଷ୍ଠ ପ୍ରଶଂସକ ହେବେ, ତାଙ୍କୁ ଆଇପିଏଲ୍‌ ମ୍ୟାଚ୍‌ର ଟିକେଟ୍‌ ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ସେଠାରେ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ନୃତ୍ୟଗୀତ, ଫୁଡ୍‌ଷ୍ଟଲ୍‌ ଆଦିର ବ୍ୟବସ୍ଥା କରାଯାଇଛି। ପ୍ରଶଂସକମାନେ ମ୍ୟାଚ୍‌ର ସିଧା ପ୍ରସାରଣ ଉପଭୋଗ କରିବାସହ ଖାଦ୍ୟପେୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରର ମଜା ଉଠାଇପାରିବେ।

ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ଆସିଷ୍ଟାଣ୍ଟ ମ୍ୟାନେଜର ତଥା ଭେନ୍ୟୁ ମ୍ୟାନେଜର ସତ୍ୟପାଳ ନିକାଡେ ଓ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ରଘୁନନ୍ଦ ପାଢ଼ୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.