ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭିନ୍ନ ବିଭାଗ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅଂଶୁଘାତ ଜନିତ ମୃତ୍ୟୁକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍ ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏତଦ୍ବ୍ୟତୀତ ଜଳକ୍ଳିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ନଳକୂପ ଏବଂ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନ ରକ୍ଷକ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତରେ ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକର ଯାତାୟତ ସମୟ ନିର୍ଘଣ୍ଟରେ ପରିବର୍ତ୍ତନପୂର୍ବକ ଖରାବେଳେ ଯାତ୍ରୀବାହୀ ଯାନ ଚଳାଚଳ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନଙ୍କର କାର୍ଯ୍ୟ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ଥଣ୍ଡା ପାନୀୟ ଜଳ ଏବଂ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବା ପାଇଁ ସଂପୃକ୍ତ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର- କୁଣ୍ଡର ବ୍ୟବସ୍ଥା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ଅଞ୍ଚଚଳରୁ ଅଂଶୁଘାତଜନିତ ମୃତ୍ୟୁର ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଲେ ତାହା ଜିଲ୍ଲା ପ୍ରଶାସନ ସ୍ତରରେ ତୁରନ୍ତ ତଦନ୍ତ କରାଯାଇ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ଏହାର ନିରାକରଣ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ହିଟ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାପାଳ ଏବଂ ବିଭାଗମାନଙ୍କୁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.