ରୁଷୀୟ ସୈନିକମାନେ ଘରକରଣା ସାମଗ୍ରୀ ସମେତ ‘ଟଏଲେଟ୍‌ ବାଉଲ୍‌’ ମଧ୍ୟ ଚୋରି କରିଛନ୍ତି : ୟୁକ୍ରେନ୍‌ ଉପବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ରୁଷୀୟ ସୈନିକମାନେ ବିଭିନ୍ନ ଘରକରଣା ସାମଗ୍ରୀ ଏମିତିକି ‘ଟଏଲେଟ୍‌ ବାଉଲ୍‌’ (ପାନ୍‌) ଚୋରାଇ ନେଉଥିବା କଥା ନିଜ ନିଜର ସ୍ତ୍ରୀ ଓ ମା’ଙ୍କୁ ଫୋନ୍‌ରେ କହିଥିବା କଥା ଭାରତ ଗସ୍ତରେ ଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ କହିଛି।
ନୂଆଦିଲ୍ଲୀରେ ଏକ ‘ଥିଙ୍କ୍‌ ଟ୍ୟାଙ୍କ୍‌’ରେ (ଚିନ୍ତନ ସଙ୍ଗଠନ) ଭାଷଣ ଦେବା ବେଳେ ସେ କହିଛନ୍ତି, ରୁଷୀୟ ସୈନିକମାନେ ସେମାନଙ୍କ ମାଆ ଓ ସ୍ତ୍ରୀମାନଙ୍କ ସହିତ କରୁଥିବା ଫୋନ୍‌ ବାର୍ତ୍ତାଳାପ ରେକର୍ଡର କିଛି କିଛି ଅଂଶ ଆମେ ପାଇଛୁ। ସେମାନେ ୟୁକ୍ରେନୀୟମାନଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ କେବେ କେବେ ‘ଟଏଲେଟ୍‌ ବାଉଲ୍‌’ ମଧ୍ୟ ଚୋରି କରୁଥିବା କହୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବ୍ରୁଆରି ୨୪ ତାରିଖରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଲାଗିବା ପରଠାରୁ ସରକାରୀ ଗସ୍ତରେ ଭାରତ ଆସିବାରେ ଜାପାରୋଭା ହେଉଛନ୍ତି ପ୍ରଥମ ପଦସ୍ଥ ୟୁକ୍ରେନୀୟ ଅଧିକାରୀ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି କେହି ଜଣେ ଆପଣଙ୍କ ସହିତ ଦୁଷ୍କର୍ମ କରିବାକୁ ଆସେ, ଆପଣଙ୍କ ପାଟିରୁ କି ପ୍ରକାର ଭାଷା ବାହାରିବ…। ଜଣେ ୧୧ ବର୍ଷିୟ ବାଳକ ସହିତ ତା’ ମା ସମ୍ମୁଖରେ ଦୁଷ୍କର୍ମ କରାଯିବାରୁ ସେ ବାକ୍‌ଶକ୍ତି ହରାଇଥିବା କଥା ଜାଣିବା ପରେ ମୁଁ ଉଦ୍‌ବିଗ୍ନ ହୋଇ ଯାଇଥିଲି। ଏଭଳି କର୍ମ ପାଇଁ ଭାଷା ନାହିଁ। ଫେବ୍ରୁଆରି ୨୪ ୟୁକ୍ରେନ୍‌ରେ ସବୁ କିଛି ବଦଳାଇ ଦେଲା।
ସ୍ମରଣଯୋଗ୍ୟ, ‘ଯୁଦ୍ଧ ସମୟରେ ଯୌନ ହିଂସା’ ସମ୍ବନ୍ଧରେ ଜାତିସଂଘର ପ୍ରତିନିଧି ପ୍ରମିଳା ପ୍ୟାଟେନ୍‌ ଗତବର୍ଷ ଘୋଷଣା କରିଥିଲେ ଯେ, ୟୁକ୍ରେନ୍‌ର ରୁଷ୍‌ ତା’ର ସାମରିକ ରଣନୀତିର ଅଂଶବିଶେଷ ଭାବେ ଦୁଷ୍କର୍ମ ଓ ଯୌନ ହିଂସା ଉପଯୋଗ କରୁଛି।
ବିଗତ ଫେବ୍ରୁଆରିଠାରୁ ୟୁକ୍ରେନ୍‌ରେ ଏଭଳି ଶତାଧିକ ଦୁଷ୍କର୍ମ ମାମଲା ସଂକ୍ରାନ୍ତରେ ମିଳିଥିବା ତଥ୍ୟକୁ ଜାତିସଂଘର ବିଶେଷଜ୍ଞ କମିଟି ଯାଞ୍ଚ କରିବା ପରେ ରିଲିଜ୍‌ କରାଯାଇଥିଲା।
ଗତ ‌ଫେବ୍ରୁଆରିରେ ମସ୍କୋ ଗସ୍ତ କରି ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ ଆଲୋଚନା କରିଥିବା ଜାତୀୟ ପ୍ରତିରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍‌ଙ୍କ ସମେତ ଭାରତୀୟ ସରକାରୀ ଅଧିକାରୀମାନେ ମଧ୍ୟ କିବ୍‌ ଗସ୍ତ କରିବେ ବୋଲି ଜାପାରୋଭା ଆଶା ବ୍ୟକ୍ତ କରିଛନ୍ତି।

nis-ad
Leave A Reply

Your email address will not be published.