ନୂଆଦିଲ୍ଲୀ: ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାରମ୍ପରିକ ଲିଖିତ ପରୀକ୍ଷା ସମ୍ପୂର୍ଣ୍ଣ ଅନୁପଯୁକ୍ତ ମୂଲ୍ୟାୟନ ପଦ୍ଧତି ଏବଂ ତାହା ୩ୟ ଶ୍ରେଣୀରୁ ଆରମ୍ଭ ହେବା କଥା ବୋଲି ‘ନ୍ୟାସ୍ନାଲ୍ କରିକୁଲମ୍ ଫ୍ରେମ୍ୱାର୍କ’ (ଏନ୍ସିଏଫ୍) ଡ୍ରାଫ୍ଟ୍ରେ ସୁପାରିସ କରାଯାଇଛି।
ଗୁରୁତ୍ବାରୋପ କରି ‘ଏନ୍ସିଏଫ୍’ କହିଛି, ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଏଭଳି ହେବା ଆବଶ୍ୟକ ଯେମିତି ତାହା ପିଲାଙ୍କୁ ଅଧିକ ଭାରାକ୍ରାନ୍ତ ନ କରେ।
ନୂତନ ‘ଜାତୀୟ ଶିକ୍ଷାନୀତି’ (ଏନ୍ଇପି) ଅନୁଯାୟୀ ପ୍ରସ୍ତୁତି କରାଯାଉଥିବା ଏହି ବ୍ୟବସ୍ଥାରେ ପିଲାଙ୍କ ଶିକ୍ଷା ମୂଲ୍ୟାୟନ ପାଇଁ ୨ଟି ପ୍ରସ୍ତାବ ଦିଆଯାଇଛି। ସେ ଦୁଇଟି ପଦ୍ଧତି ପ୍ରାଥମିକ ସ୍ତର ପାଇଁ ଉପଯୁକ୍ତ। ତାହା ହେଉଛି, ପିଲାର ପର୍ଯ୍ୟବେକ୍ଷଣ ଏବଂ ସେମାନେ ପ୍ରସ୍ତୁତ କରିଥିବା କଳାକୃତିର ବିଶ୍ଳେଷଣ। ଏ ଦୁଇଟିରୁ ପିଲାଙ୍କ ଶିକ୍ଷା ଅଭିଜ୍ଞତା ଜଣାପଡ଼ିବ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ପିଲା ଓ ସେମାନଙ୍କ ଶିକ୍ଷାର ବିବିଧତାକୁ ମୂଲ୍ୟାୟନ ସ୍ବୀକୃତି ଦେବା ଆବଶ୍ୟକ। ପିଲାମାନେ ପୃଥକ୍ ଭାବେ ଶିଖନ୍ତି ଓ ଯାହା ଶିଖନ୍ତି ତାହାକୁ ପୃଥକ୍ ଭାବେ ବ୍ୟକ୍ତ ମଧ୍ୟ କରନ୍ତି। ଶିକ୍ଷାର ଫଳାଫଳ ମୂଲ୍ୟାୟନ କରିବା ଲାଗି ଅନେକ ଉପାୟ ଥାଇପାରେ। ତେଣୁ, ଏକ ପ୍ରକାର ଶିକ୍ଷାର ଭିନ୍ନ ଭିନ୍ନ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତି କରି ତାହାର ଉପଯୁକ୍ତ ପ୍ରୟୋଗ କରିବାର ଦକ୍ଷତା ଶିକ୍ଷକମାନଙ୍କର ଥିବା ଉଚିତ।
ସେହିପରି, ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା କରାଇବା ଉଚିତ ବୋଲି ‘ଏନ୍ସିଏଫ୍’ ପ୍ରସ୍ତାବନାରେ ଉଲ୍ଲେଖ କରିଛି।
ଗୁରୁବାର ଦିନ ଶିକ୍ଷାମନ୍ତ୍ରାଳୟ ‘ଏନ୍ସିଏଫ୍’ର ଏହି ‘ପ୍ରି-ଡ୍ରାଫ୍ଟ୍’କୁ ରିଲିଜ୍ କରି ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଏବଂ ବିଦ୍ବାନ୍ମାନଙ୍କଠାରୁ ମତାମତ ଲୋଡ଼ିଛି। ‘ଇସ୍ରୋ’ର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନ୍ଙ୍କ ନେତୃତ୍ବାଧୀନ କମିଟି ପ୍ରସ୍ତୁତ କରିଥିବା ଏହି ‘ଡ୍ରାଫ୍ଟ୍’ ପ୍ରସ୍ତାବ ଦେଇଛି ଯେ, ମଧ୍ୟମ ସ୍ତରରେ (୬ଷ୍ଠରୁ ୮ମ) ଓ ମାଧ୍ୟମିକ (୯ମରୁ ୧୨ଶ) ପର୍ଯ୍ୟନ୍ତ ଶିକ୍ଷା ଏବଂ ମୂଲ୍ୟାୟନ ବିଷୟରେ ବି ପ୍ରସ୍ତାବ ରଖିଛି।