ଉଡ଼ନ୍ତା ବିମାନରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରି ନିଶାସକ୍ତ ‘ଇଣ୍ଡିଗୋ’ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ-ବେଙ୍ଗାଲୁରୁ ‘ଇଣ୍ଡିଗୋ’ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା କଥା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍’ ଜାରି କରିଥିବା ପ୍ରେସ୍‌ ବିବୃତିରେ ଉଲ୍ଲେଖ ଅଛି।

ପ୍ରେସ୍‌ ବିବୃତି ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭.୫୬ରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ନମ୍ବର ‘୬ଇ ୩୦୮’ରେ ଘଟଣାଟି ଘଟିଛି।

ଘଟଣା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇ ‘ଇଣ୍ଡିଗୋ’ କହିଛି, ବିମାନ ନମ୍ବର ‘୬ଇ ୩୦୮’ରେ ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ‘ଏମର୍ଜେନ୍ସି ଏକ୍‌ଜିଟ୍‌’ର ‘ଫ୍ଲାପ୍‌’ ଖୋଲିବାକୁ ଉଦ୍ୟମ କରିଥିଲେ।

ଏଭଳି ଉଲ୍ଲଂଘନ ଲକ୍ଷ୍ୟ କରି ବିମାନରେ ଥିବା ପରିଚାରକ ପାଇଲଟ୍‌ଙ୍କୁ ଅବଗତ କରାଇବା ପରେ ଉକ୍ତ ଯାତ୍ରୀଜଣକୁ ତାଗିଦ କରାଗଲା। ସୁରକ୍ଷିତ ବିମାନ ଚଳାଚଳରେ କୌଣସି ପ୍ରକାର ସାଲିସ କରାଯାଇ ନାହିଁ।

ବିମାନ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଉକ୍ତ ଯାତ୍ରୀଙ୍କୁ ‘ସିଆଇଏସ୍‌ଏଫ୍‌’କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ସାଧାରତଃ ବିମାନ ଉଡ଼ାଣ ଆରମ୍ଭ କରିବା ଆଗରୁ ସେଥିରେ ଥିବା ପରିଚାରକମାନେ ନିରାପଦ ଯାତ୍ରା ନିମନ୍ତେ କେତେକ ନୀତିନିୟମ କଥା ଘୋଷଣା କରିଥାଆନ୍ତି। ସେଥିରେ ଜରୁରୀକାଳୀନ ଦ୍ବାର ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥାଏ।

nis-ad
Leave A Reply

Your email address will not be published.