କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ‘ଜାତୀୟ ଦଳ’ର ମାନ୍ୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ‘ଆପ୍‌’

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି। ‘ଆପ୍‌’ ରାଜ୍ୟ ଯୋଗାଯୋଗ ପ୍ରଭାରୀ ବ୍ରିଜେଶ କଲାପ୍ପା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଚିହ୍ନ ଆଦେଶ ଅନୁଯାୟୀ ଦଳ ଏକ ଜାତୀୟ ଦଳ ହେବା ପାଇଁ ଯୋଗ୍ୟ।
‘ଏହାକୁ ନେଇ ଆମେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଛୁ, ଯାହାର ଆଜି ଶୁଣାଣି ହେବ’। ବ୍ରିଜେଶ କଲାପ୍ପା କହିଛନ୍ତି ଯେ ଆମେ ଏକ ଜାତୀୟ ଦଳର ମାନ୍ୟତା ପାଇବୁ ବୋଲି ବିଶ୍ୱାସ ରଖିଛୁ।
ନିର୍ବାଚନ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ, ୧୯୬୮ର ଧାରା ୬ବି ଅନୁଯାୟୀ, ଯେଉଁ ରାଜନୈତିକ ଦଳର ୪ରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ୍‌ ରହିଛି ସେମାନଙ୍କୁ ଜାତୀୟ ଦଳ ଭାବେ ଘୋଷଣା କରାଯିବା ଉଚିତ ବୋଲି ଆପ୍‌ ନେତା ଦର୍ଶାଇଛନ୍ତି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ପାଖାପାଖି ୧୪ ପ୍ରତିଶତ ଭୋଟ ପାଇ ଆପ୍‌ ଗତବର୍ଷ ଜାତୀୟ ଦଳର ମାନ୍ୟତା ପାଇବାକୁ ଯୋଗ୍ୟ ହୋଇଥିଲା।
ଭାରତୀୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଜାତୀୟ ସ୍ତରର ରାଜନୈତିକ ଦଳ ଭାବେ ଆପ୍‌ର ମାନ୍ୟତାକୁ ସମୀକ୍ଷା କରୁଛନ୍ତି ବୋଲି କହିବାର କିଛି ସପ୍ତାହ ପରେ ‘ଆପ୍‌’ କର୍ଣ୍ଣାଟକ ହାଇକୋର୍ଟରେ ଏହି ପିଟିସନ୍‌ ଦାଖଲ କରିଛି।
ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସର ବ୍ୟାପକ ପ୍ରସ୍ତୁତିକୁ ଦେଖିବା ପରେ ‘ଆପ୍‌’ ମେ’ ୧୦ରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ତୃଣମୂଳ ସ୍ତରରେ ଉପସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ୧୩ ତାରିଖରେ ଭୋଟ୍‌ ଗଣତି ହେବ।
ଉଲ୍ଲେଖଯୋଗ୍ୟ, ଜାତୀୟ ଦଳ ଭାବେ ମାନ୍ୟତା ପାଇବାକୁ ହେଲେ କୌଣସି ରାଜନୈତିକ ଦଳକୁ ଅତି କମରେ ୪ଟି ରାଜ୍ୟରେ ରାଜ୍ୟ ଦଳର ମାନ୍ୟତା ମିଳିବା ଆବଶ୍ୟକ ଏବଂ ସମ୍ପୃକ୍ତ ବିଧାନସଭାରେ ଦୁଇ ଜଣ ସଦସ୍ୟ ରହିବା ଆବଶ୍ୟକ।
ଦିଲ୍ଲୀ ପରେ ପଞ୍ଜାବରେ ‘ଆପ୍‌’ର ବିପୁଳ ବିଜୟ, ଗୁଜରାଟ ନିର୍ବାଚନରେ ୫ଟି ଆସନ ଏବଂ ଦିଲ୍ଲୀ ପୌର ନିର୍ବାଚନରେ ଚମତ୍କାର ବିଜୟ ‘ଆପ୍‌’କୁ ଜାତୀୟ ଦଳର ମାନ୍ୟତା ଦାବି କରିବାକୁ ପ୍ରେରଣା ଦେଇଛି।
‘ଆଜି ଆପ୍‌ ଏକ ଜାତୀୟ ଦଳରେ ପରିଣତ ହୋଇଛି। ଗୁଜରାଟ ନିର୍ବାଚନର ଫଳାଫଳ ଆସିଛି ଏବଂ ଦଳ ଏକ ଜାତୀୟ ଦଳରେ ପରିଣତ ହୋଇଛି। ୧୦ ବର୍ଷ ପୂର୍ବେ ଆପ୍‌ ଏକ ଛୋଟ ଦଳ ଥିଲା। ଏବେ ଦୁଇଟି ରାଜ୍ୟ- ଦିଲ୍ଲୀ ଓ ପଞ୍ଜାବରେ ଏହାର ସରକାର ଅଛି ଏବଂ ଏହା ଏକ ଜାତୀୟ ଦଳରେ ପରିଣତ ହୋଇଛି’ ବୋଲି ଅରବିନ୍ଦ କେଜ୍ରିଓ୍ଵାଲ ଗତ ବର୍ଷ ଡିସେମ୍ବର ୮ରେ କହିଥିଲେ।

nis-ad
Leave A Reply

Your email address will not be published.