ଛତିଗଡ଼ରେ କଂଗ୍ରେସର ମଶାଲ ରାଲି ବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ବିଧାୟକ, ନେତା ଆହତ

ବିଳାସପୁର: ଲୋକସଭା ସାଂସଦ ପଦରୁ ରାହୁଲ୍‌ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା କଥାକୁ ବିରୋଧ କରିବା ପାଇଁ ରବିବାର ସନ୍ଧ୍ୟାବେଳେ ଛତିଶଗଡ଼ର ବିଳାସପୁରରେ ପ୍ରତିବାଦ ସମାବେଶ ପାଇଁ ନିର୍ମିତ ମଞ୍ଚ ଭାଙ୍ଗିପଡ଼ିବାରୁ ୨ଜଣ କଂଗ୍ରେସ ବିଧାୟକ ଓ କେତେକ ନେତା ଆହତ ହୋଇଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସେୟାର୍‌ କରିଥିବା ଏହି ଘଟଣାର ଭିଡିଓରେ ଦେଖାଯାଉଛି, ମଞ୍ଚ ଭାଙ୍ଗିପଡ଼ିବାରୁ ମଞ୍ଚାସୀନ ରାଜ୍ୟ କଂଗ୍ରେସ ସଭାପତି ମୋହନ ମର୍କମ ଏବଂ ଅନ୍ୟ ନେତାମାନେ ପଡ଼ିଯାଉଛନ୍ତି। ‌
ମୋହନ ମର୍କମ୍‌ଙ୍କର କିଛି ହୋଇ ନ ଥିବା ବେଳେ ବିଧାୟକ ଶୈଳେଶ ପାଣ୍ଡେ ଏବଂ ରଶ୍ମି ସିଂହ, ତାଙ୍କ ସ୍ବାମୀ ଆଶିଷ ସିଂହ ଠାକୁର ଏବଂ ଦଳର ଅନ୍ୟ କେତେ ଜଣ ନେତା ସାମାନ୍ୟ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ କହିଛନ୍ତି। ଘଟଣା ପରେ ପରେ ସ୍ବାସ୍ଥ୍ୟ କର୍ମୀମାନେ ଆସି ଆହତ ନେତାମାନଙ୍କର ପ୍ରାଥମିକ ଉପଚାର କରିଥିଲେ।
ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ମଶାଲ ରାଲିରେ ଯୋଗ ଦେଇଥିବା କଂଗ୍ରେସ ନେତା ଓ କର୍ମୀମାନେ ଦେବକୀନନ୍ଦର ଛକରେ ସମବେତ ହୋଇଥିଲେ। ସଭା ପାଇଁ ଆୟୋଜିତ ମଞ୍ଚରେ ମାତ୍ରାଧିକ ଲୋକେ ଚଢ଼ିଯିବାରୁ ତାହା ଭାଙ୍ଗିପଡ଼ିଲା।
ବିଧାୟକ ପାଣ୍ଡେ କହିଛନ୍ତି, ଗାନ୍ଧୀ ଛକରୁ ଆରମ୍ଭ କରି ‘ଗଣତନ୍ତ୍ର ବଞ୍ଚାଅ ମଶାଲ ଶୋଭାଯାତ୍ରା’ ମଞ୍ଚ ନିର୍ମାଣ ହୋଇଥିବା ଦେବକୀନନ୍ଦନ ଛକକୁ ଯାଇଥିଲା। ‘ଏଆଇସିସି’ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ଦାୟିତ୍ବରେ ଥିବା କୁମାରୀ ସେଲ୍‌ଜା ଏହି ରାଲିକୁ ଉଦ୍‌ଘାଟନ କରି ରାୟପୁର ଫେରିଯାଇଥିଲେ।

nis-ad
Leave A Reply

Your email address will not be published.