ଏକ ଘଣ୍ଟାର ବର୍ଷାରେ ବ୍ରହ୍ମପୁରବାସୀଙ୍କ ହାଲତ ବେହାଲ…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର । କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ରହ୍ମପୁର ସହର ନାମକୁ ମାତ୍ର କାଗଜ କଲମରେ ହିଁ ମହାନଗର ଆଖ୍ୟା ପାଇଛି । ସହରର ରାସ୍ତାଘାଟର ଦୂରାବସ୍ଥା କହିଲେ ନସରେ । ବ୍ରହ୍ମପୁର ସହରରେ ଡ୍ରେନ୍ ଗୁଡ଼ିକ ଭାଙ୍ଗିରୁଜି ଦୀର୍ଘ ଦିନ ଧରି ସଫା ନହୋଇ ପଡ଼ି ରହିଥିବା ଯୋଗୁଁ ମଶା ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଜି ବ୍ରହ୍ମପୁର ସହରରେ ହେଇଥିବା ଏକ ଘଣ୍ଟାର ବର୍ଷା ବ୍ରହ୍ମପୁର ମହାନଗର ନିଗମର ପାରିବା ପଣିଆକୁ ପଦାରେ ପକାଇଛି । ଆଜିର ବର୍ଷାରେ ସହରର ନାଳ ନର୍ଦ୍ଦମା ଗୁଡ଼ିକ ସଫା ନଥିବା ଯୋଗୁଁ ବ୍ରହ୍ମପୁର ସହରର ହରିଡ଼ାଖଣ୍ଡି, ଗୋସାଇଁନୂଆଗାଁ, ବିଜିପୁର, ଗାନ୍ଧୀନଗର, ପ୍ରେମ ନଗର, ଗେଟ୍ ବଜାର,ଅଶୋକ ନଗର, ଗଜପତି ନଗର ଆଦି ବିଭିନ୍ନ ଅଞ୍ଚଳର ରାସ୍ତା ଘାଟରେ ତିନିରୁ ଚାରିଫୁଟର ପାଣି ଲହଡ଼ି ମାରିଥିଲା ।

ଫଳରେ ଆଣ୍ଠୁଏ ଆଣ୍ଠୁଏ ନାଳ ପାଣିରେ ବ୍ରହ୍ମପୁର ସହରର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଲୋକଙ୍କ ଠାରୁ ହଲ୍ଡିଂ ଟିକସ ବୃଦ୍ଧି କରି ଆଦାୟ କରୁଥିଲେ ମଧ୍ୟ ବ୍ରହ୍ମପୁରରେ ରହୁଥିବା ଲୋକଙ୍କୁ ଯେଉଁ ସୁଫଳ ମିଳିବା କଥା ତାହା ମିଳୁନାହିଁ । ତଳ ଦିନେ ବ୍ରହ୍ମପୁରର ବିକାଶ ମୋ’ର ଦାୟୀତ୍ୱ କହିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡ଼େ ଗଲା ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ବ୍ରହ୍ମପୁର ବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କେବଳ ଭୁଆଁ ବୁଲାଉଛନ୍ତି । ଆଗାମୀ ଦିନରେ ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରୁ ମଧ୍ୟ ବହୁ ଜନସାଧାରଣ ଆସିବାର ଅଛି । ଏଣୁ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ମହାନଗର ନିଗମ ରାସ୍ତାଘାଟ,ନାଳ ନର୍ଦ୍ଦମା,ପରିମଳ ପ୍ରତି ଦୃଷ୍ଟି ଦେବାକୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ କହିଛନ୍ତି ।

nis-ad
Leave A Reply

Your email address will not be published.