ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ପୁଣି ହାଇକୋର୍ଟରେ ମାମଲା ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି କଲା ପରିବାର

କଟକ: ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ତାଙ୍କ ପାଇଁ ପରିବାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିରପେକ୍ଷ ସଂସ୍ଥା ଦ୍ୱାରା ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ହାଇକୋର୍ଟ ଏହି ମାମଲାର ତଦନ୍ତ କରିବାକୁ ଭୁବନେଶର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ଶେଷ କରି ଡିସିପି ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ମୃତ ଆନନ୍ଦଙ୍କ ପରିବାର ଏହି ତଦନ୍ତରେ ସନ୍ତୋଷ ପ୍ରକାଶ ନକରି ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ବନ୍ଧନ ଟପ୍ପୋଙ୍କ ଓକିଲ ଶିବଶଙ୍କର ମହାନ୍ତି ସୂଚନା ଦେଇଛନ୍ତି । ହାଇକୋର୍ଟ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଗତ ଫେବୃୟାରୀ ୨୪ ତାରିଖରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଅପରପକ୍ଷରେ ଇନ୍‌ଫୋସିଟି ଥାନା ଆଇଆଇସି ଅର୍ପିତା ପ୍ରିୟଦର୍ଶିନୀ ବନ୍ଧନଙ୍କ ଏଫ୍‌ଆଇଆର୍ ନରଖିବା ନେଇ ହାଇକୋର୍ଟ ଆଇଆଇସିଙ୍କୁ ଦଣ୍ଡିତ କରିଥିଲେ । ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ଡ୍ୟୁଟି ନଦେବା ସହ ବିଜୁ ପଟ୍ଟନାୟକ ପୋଲିସ ତାଲିମ ଏକାଡେମୀରେ ଏକ ମାସ ତାଲିମ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ଆଇଆଇସିଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା । ମାତ୍ର ସେହି ଆଇଆଇସି ଜଣକ ସାକ୍ଷୀ ଓ ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ କରିବା ସହ ଭିସେରା ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣି ଏକ ସତ୍ୟପାଠ ଦାଖଲ କରିଥିଲେ । ତାଙ୍କର କିଛି ଦୋଷ ନାହିଁ ବୋଲି ଉକ୍ତ ସତ୍ୟପାଠରେ ସେ ଦର୍ଶାଇଥିଲେ । ଜଣେ ଆଇଆଇସି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କ ଦ୍ୱାରା ତଦନ୍ତ କରାଯିବାକୁ ନେଇ ବନ୍ଧନ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏଥିସହ ବାହାର ପୁଲିସ ଅଧିକାରୀଙ୍କ ଦ୍ୱାରା ମାମଲାର ଆଉ ଥରେ ତଦନ୍ତ କରାଇବାକୁ ହାଇକୋର୍ଟଙ୍କୁ ସେ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ଯେ, ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ବିବାହର ମାତ୍ର ୧୦ ଦିନ ପରେ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହୁଥିବା ସେ ଫ୍ଲାଟ୍‌ରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଇନ୍‌ଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ବୀରେନ୍ଦ୍ର ଲାକ୍ରା ତାଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ଆନନ୍ଦଙ୍କ ବାପା ବନ୍ଧନ ଅଭିଯୋଗ କରିଥିଲେ । ଏନେଇ ଏତଲା ଦେବାକୁ ସେ ପ୍ରଥମ ଇନ୍‌ଫୋସିଟି ଥାନାକୁ ଯାଇଥିବା ବେଳେ ପୁଲିସ ତାଙ୍କ ଏତଲା ଗ୍ରହଣ କରିନଥିଲା । ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

nis-ad
Leave A Reply

Your email address will not be published.