ଦୁଷ୍କର୍ମ ଏଫଆଇଆରକୁ ଅଣଦେଖା କଲା ପୁଲିସ, ଏସ୍‌ପିଙ୍କୁ ଚିଠି ଲେଖିଲେ ଇଞ୍ଜିନିୟର…

ମୁମ୍ବାଇ : ମହାରାଷ୍ଟ୍ରର ଅଲୀବାଗରେ ରହୁଥିବା ଜଣେ ୨୭ ବର୍ଷୀୟ ଇଞ୍ଜିନିୟର ନ୍ୟାୟ ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହଯୋଗ ମିଳିନି। କିଛି ପୁଲିସ ଷ୍ଟେସନ ପକ୍ଷରୁ ସେ ଦେଇଥିବା ଦୁଷ୍କର୍ମ ସଂକ୍ରାନ୍ତ ଏଫଆଇଆରକୁ ଅଣଦେଖା କରାଯାଇଛି। ଏଥିପାଇଁ ସେ ବାଧ୍ୟ ହୋଇ ରାଇଗଡ଼ ଏସ୍‌ପିଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି।
ଯୁବତୀ ଜଣଙ୍କ ଆହୁରି କହିଛନ୍ତି ଯେ ଖାରଘର ପୁଲିସ୍‌ ଓ ପାନଭେଲ ସିଟି ପୁଲିସ୍‌ ଅଭିଯୋଗ ପାଇବା ପରେ ହାତ ଟେବି ଦେଇଥିଲେ। ସେମାନେ ଅଲଗା ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିବାକୁ କହିବାକୁ ଏହି ପ୍ରକ୍ରିୟାରେ ଅନେକ ସମୟ ଅପଚୟ ହୋଇଛି। ଅଭିଯୋଗକାରୀଙ୍କ ଏଫଆଇଆର ରାଇଗଡ଼ ଜିଲ୍ଲା ମାଣ୍ଡୱା ପୁଲିସ୍‌ ଷ୍ଟେସନରେ ପଞ୍ଜୀକରଣ କରାଯାଇଥିଲା।
କିନ୍ତୁ ଘଟଣାର ତଦନ୍ତ ଅଲୀବାଗର ଡେପୁଟି ଏସ୍‌ପି କରିଥିଲେ। ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତ ଦ୍ୱାରା ସେ ଅନେକ ସମୟରେ ଭିନ୍ନଭିନ୍ନ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତକୁ ଧରିବା ବଦଳରେ ତା’ ସହ ମିଶି ଓ ଚା’ ଜଳଖିଆ କରୁଛନ୍ତି। ତେଣୁ ତଦନ୍ତ ବାଟବଣା ହେବାରେ ଲାଗିଛି।
ଯୁବତୀ ଜଣଙ୍କ ବସାଇରେ ରୁହନ୍ତି। ଗୋଟିଏ ଡେଟିଂ ଆପ୍‌ରେ ପ୍ରାଶନ୍ତଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। କଥା ବାହାଘର ଯାଏ ଯାଇଥିଲା। ବାହାଘରର ପ୍ରତିଶ୍ରୁତି ଦେଇ ପ୍ରଶାନ୍ତ ଯୁବତୀଙ୍କ ସହ ଅଲୀବାଗ, ରତ୍ନଗିରି ଓ ପାନଭେଲର ଏକାଧିକ ସ୍ଥାନରେ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ସମ୍ପର୍କ ରଖିବା ପରେ ସେ ବାହା ହେବା ପ୍ରତିଶ୍ରୁତିକୁ ପୂରଣ କରି ନଥିଲେ।
ପରବର୍ତ୍ତୀ ଅବସ୍ଥାରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ପ୍ରଶାନ୍ତ ଆଉ ଜଣଙ୍କ ବିବାହ କରି ସାରିଛନ୍ତି। ଏକଥା ଜାଣିବା ପରେ ଖାରଘର ସେକ୍ଟର ୩ରେ ଥିବା ପ୍ରଶାନ୍ତଙ୍କ ପ୍ଲାଟରେ ଯୁବତୀ ଜଣଙ୍କ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଅଭିଯୁକ୍ତ ଜଣଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ରାଇଗଡ଼ ଏସପିଙ୍କୁ ଯୁବତୀ ଜଣଙ୍କ ଲେଖିବା ଚିଠିରେ ପୁଲିସ୍‌ ସମ୍ପର୍କରେ ୮ଟି ପଏଣ୍ଟ ଉପସ୍ଥାପନ କରିଛନ୍ତି। ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରିବାକୁ ମନା କରୁଛି। ତାଙ୍କ ଜାତିକୁ ପୁଲିସ୍‌ ଅଭିଯୋଗରେ ସାମିଲ କରୁନି। ତାଙ୍କୁ ସବୁବେଳେ ଅପେକ୍ଷା କରିବାକୁ ପୁଲିସ୍‌ କହୁଛି। ପାନଭେଲରେ ଥିବା ସବ ଜିଲ୍ଲା ହସ୍ପିଟାଲକୁ ରାତି ୯ଟା ବେଳେ ପୁଲିସ୍‌ ଏକାକୀ ମେଡିକାଲ ଟେଷ୍ଟ ପାଇଁ ପୀଡ଼ିତାଙ୍କୁ ପଠାଇଥିଲା।
୨୦୨୩ ଫେବୃଆରୀ ୧୭ର ସିସିଟିଭି ଫୁଟେଜକୁ ପୁଲିସ୍‌ ସଂରକ୍ଷିତ କରି ରଖୁନାହିଁ। ଅଭିଯୁକ୍ତର ପଡ଼ୋଶୀଙ୍କ ସିସିଟିଭି ଫୁଟେଜକୁ ପୁଲିସ୍‌ ଯାଞ୍ଚ କରୁନି। ୨୦୨୩ ‍ଫେବୃଆରୀ ୨୨ରେ ତଦନ୍ତକାରୀ ଅଫିସର ଅଭିଯୁକ୍ତର ଘରକୁ ଯାଇ ଚା’ ଓ ଜଳଖିଆ ଖାଇଛନ୍ତି। ଏହି ସମୟରେ ପୀଡ଼ିତା ଜଣଙ୍କୁ ପୁଲିସ୍‌ ଘର ବାହାରେ ଅପେକ୍ଷା କରି ରଖିବାକୁ କହିଥିଲା। ଅଲୀବାଗର ଡେପୁଟି ଏସ୍‌ପି ସୋନାଲି କଦମ ତାଙ୍କ ସହ ଭେଟ ମଧ୍ୟ କରୁ ନଥିବା ପୀଡ଼ିତା ଜଣଙ୍କ ତାଙ୍କ ଚିଠିରେ କହିଛନ୍ତି। ଏବେ ଏସ୍‌ପି ଘଟଣାକୁ କେମିତି ତଦନ୍ତ ପାଇଁ କହୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

nis-ad
Leave A Reply

Your email address will not be published.