ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌ ପ୍ରଶାସନ…

ଭୁବନେଶ୍ୱର: ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା ଥଇଥାନରେ ବିଏମ୍‌ସି ବେସାହାରା କରି ଦେଉଛି। ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ଶୁକ୍ରବାର ପୁନର୍ବାର କଳ୍ପନା ଛକ ନିକଟରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଉଠାଦୋକାନୀଙ୍କୁ ହଟାଇବାକୁ ଆସିଥିବା ଟିମ୍‌ ପ୍ରାଇଡ୍‌କୁ ନାକେଦମ୍‌ ହେବାକୁ ପଡିଥିଲା।

ରାଜମହଲରୁ କଳ୍ପନା ରାସ୍ତା କଡ଼ରେ ଥିବା ବିଏମ୍‌ସି ଭେଣ୍ଡିଂଜୋନ୍‌ ପାଖରେ ରହିଥିବା ଉଠାଦୋକାନ ଉଚ୍ଛେଦ କରିବାକୁ ଯାଇଥିବାବେଳେ ସେମାନଙ୍କୁ ଦୋକାନୀମାନେ ଘେରି ଯାଇଥିଲେ। ପାଟିତୁଣ୍ଡ ହେବା ସହ କେତେଜଣ ବ୍ୟବସାୟୀ ରାସ୍ତା ମଝିରେ ବସି ଉଚ୍ଛେଦକୁ ବିରୋଧ କରିଥିଲେ। ଏହାଦ୍ୱାରା ପ୍ରାୟ ୧ଘଣ୍ଟା ଧରି ରାସ୍ତା ଜାମ୍‌ ରହିବା ସହ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୋକାନୀମାନଙ୍କୁ ବୁଝାଶୁଝା କରିଥିଲା। ସେହିପରି ଉଚ୍ଛେଦକାରୀ ଟିମ୍‌କୁ ଫେରିବାକୁ ପଡିଥିଲା। ମାତ୍ର ପୁଣିଥରେ ସନ୍ଧ୍ୟାରେ ସମ୍ପୃକ୍ତ ଦୋକାନ ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚତ୍ବା ପରେ ଦୋକାନୀମାନେ ସେମାନଙ୍କୁ ବାଡେଇବାକୁ ଗୋଡାଇଥିଲେ। ଫଳରେ ପୁନର୍ବାର ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ତେବେ ବିଶ୍ୱକପ୍‌ ହକି ଥିବାରୁ ସହରରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଏଥିସହ ହକି ପରେ ସେମାନେ ପୁନର୍ବାର ସେଠାରେ ବେପାର କରି ପାରିବେ ବୋଲି କୁହାଯାଇଥିଲା। ମାତ୍ର ହକି ପରେ ବି ସେମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ କମିଶନର ଥିବା ସମୟରେ ଦୋକାନୀମାନେ ସେହି ଖାଲ ଯାଗାକୁ ପୋତି ବେପାର କରୁଛନ୍ତି। ପ୍ରାୟ ୮୩ଜଣ ଉଠାଦୋକାନୀ ସେଠାରେ ବସୁଥିବାବେଳେ ତରଭୁଜ, ଛତୁଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫଳ ବିକ୍ରି କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛିଜଣ ଟଲି ରଖି ସେଠାରେ ବେପାର କରି ପରିବାର ଚଳାଉଛନ୍ତି। ବିଏମ୍‌ସି ଉଠାଦୋକାନୀଙ୍କୁ ଉଠାଇ ସେଠାରେ ଥିବା ଏକ ବସ୍ତ୍ରାଳୟ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ଯୋଜନା କରୁଛି। ସମ୍ପୃକ୍ତ ବସ୍ତ୍ରାଳୟ ମାଲିକଙ୍କ ଠାର ଟଙ୍କା ନେଇ ଏତେ ସଂଖ୍ୟକ ଗରିବଙ୍କ ପେଟକୁ ଲାତ ମାରୁଛି। ଏହାକୁ ଜମାରୁ ବରଦାସ୍ତ କରାଯିବ ନାହିଁ। ଯଦି ବିଏମ୍‌ସି ଆଗକୁ ଏଭଳି କାର୍ଯ୍ୟ ଜାରି ରଖେ ତେବେ ପୁନର୍ବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ସହ ଏହାର ଉଚିତ୍‌ ଜବାବ ଦେବେ ବୋଲି ପ୍ରତାପ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.