୪୫ ମିନିଟ୍‌ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ…

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ ଅଧାରୁ ଅଟକିଯିବାରୁ ଏହା ଭିତରେ ୫ ପର୍ଯ୍ୟଟକ ଓ ଜଣେ ସୁରକ୍ଷା କର୍ମୀ ୪୫ ମିନିଟ୍‌ ଧରି ଫସି ରହିଥିଲେ। ସେମାନେ ଅଣନିଃଶ୍ୱାସୀ ହୋଇପଡିବା ସହ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ଦାୟିତ୍ୱରେ ଥିବା କର୍ମଚାରୀ ପହଞ୍ଚତ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଲିଫ୍ଟ ବନ୍ଦ ହେବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କିମ୍ବା ଆବଶ୍ୟକତାଠାରୁ ଅଧିକ ଲୋକ ଯିବାରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ୫ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ଅନ୍ୟ ୩ଜଣ ରାଜସ୍ଥାନର ବୋଲି ଜଣାପଡିଛି।

ସୂଚନାନୁଯାୟୀ, ୫ଜଣ ପର୍ଯ୍ୟଟକ ପୂର୍ବାହ୍ନ ୧୧ଟାରେ ଧଉଳି ବୁଲିବାକୁ ଆସିଥିଲେ। ବୁଲାବୁଲି ସାରି ଅପରାହ୍ନ ସାଢ଼େ ୧୨ଟା ପରେ ଲିଫ୍ଟରେ ତଳକୁ ଓହ୍ଲାଉଥିଲେ। ଉକ୍ତ ଲିଫ୍ଟରେ ଜଣେ ସୁରକ୍ଷା କର୍ମୀ ଥିଲେ। ଲିଫ୍ଟଟି ତଳକୁ ଖସିବାବେଳେ ହଠାତ୍‌ ଅଧାରୁ ଅଟକି ଯାଇଥିଲା। ଏହାପରେ ପର୍ଯ୍ୟଟକମାନେ ଚିତ୍କାର କରି ବଞ୍ଚାଓ ବଞ୍ଚାଓ ବୋଲି ଡାକ ପକାଇଥିଲେ। ଏଥିସହ ଜରୁରିକାଳୀନ ସାଇରନ୍‌ ମଧ୍ୟ ବଜାଇଥିଲେ। ଚିତ୍କାର ଓ ସାଇରନ୍‌ ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ଓ ଦୋକାନୀ ଲିଫ୍ଟ ପାଖକୁ ଦୌଡ଼ି ଆସିଥିଲେ ମଧ୍ୟ କିଛି କରିପାରି ନ ଥିଲେ। ସୁରକ୍ଷାକର୍ମୀଙ୍କୁ ଖୋଜିଥିଲେ ମଧ୍ୟ ସେ ଉକ୍ତ ଲିଫ୍ଟ ଭିତରେ ପର୍ଯ୍ୟଟକଙ୍କ ସହ ଫସି ରହିଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଧଉଳି ଥାନା ପୋଲିସ ପହଞ୍ଚତ୍ବା ସହ ଲିଫ୍ଟ ଦାୟିତ୍ୱରେ ଥିବା ଅନ୍ୟ କର୍ମଚାରୀଙ୍କୁ ଡକାଇଥିଲେ। ୪୫ ମିନିଟ ପରେ ଏକ ପେଚକସ ସାହାଯ୍ୟରେ ଲିଫ୍ଟର ଲକ୍‌କୁ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ନିକଟରେ ଶାନ୍ତିସ୍ତୂପ ଧଉଳି ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉକ୍ତ ଲିଫ୍ଟ ନିର୍ମାଣ କରାଯାଇଥିଲା। ହେଲେ ଏଥିରେ ସମସ୍ତେ ଯିବା ଆସିବା କରିବା ସହ କ୍ଷମତାଠାରୁ ଅଧିକ ଭାର ଲାଗି ଏହି ଲିଫ୍ଟଟି ବାରମ୍ବାର ଅଚଳ ହୋଇପଡି ଏପରି ଘଟଣା ଘଟୁଛି। ତେବେ ସୁରକ୍ଷା କର୍ମୀମାନେ କାହିଁକି ସାଧାରଣ ପର୍ଯ୍ୟଟକଙ୍କୁ ଲିଫ୍‌ଟରେ ଓ ଅଧିକ ସଂଖ୍ୟାରେ ଯିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

nis-ad
Leave A Reply

Your email address will not be published.