ମୁମ୍ବାଇ ଆପାର୍ଟମେଣ୍ଟରେ ନିଆଁ ; ୧୦ ଆହତ, ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା

ମୁମ୍ବାଇ : ମୁମ୍ବାଇର ମୁଲଣ୍ଡଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୧୦ ଜଣ ଆହତ ହୋଇଛନ୍ତି ଓ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ମୁଲଣ୍ଡର ଜାଗୃତି ବିହାର ସୋସାଇଟିରେ ଏହି ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ମିଟର ରୁମରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା ଓ ତାହା ସମଗ୍ର କୋଠାକୁ ବ୍ୟାପିଯାଇଥିଲା । ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।
ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଥିଲା । ବିଏମସି (ବୃହତ୍ ମୁମ୍ବାଇ ମହାନଗର ନିଗମ) ପକ୍ଷରୁ କୁହାଯାଇଛି ଯେ ସୋସାଇଟିରେ ନିଆଁ ଲାଗିବାରୁ ଧୂଆଁ ଭର୍ତ୍ତି ହୋଇଯାଇଥିଲା, ଯେଉଁଥିପାଇଁ ଅନେକ ଲୋକ ଫସି ଯାଇଥିଲେ। ସିଡ଼ିରୁ ଛାତ ପର୍ଯ୍ୟନ୍ତ ମୋଟ ୮୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ୧୦ ଜଣ ଙ୍କୁ ସିଡି ଉପରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏସବୁ ଲୋକଙ୍କ ଅବସ୍ଥା ସ୍ଥିର ଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଏହି ନିଆଁ ଯୋଗୁଁ ତଳ ମହଲାରେ ଥିବା ସାଧାରଣ ବିଦ୍ୟୁତ ମିଟର କ୍ୟାବିନ୍ ଜଳିଯାଇଛି । ପ୍ରଥମେ ବିଜୁଳି ଓ ପିଏନଜି ଗ୍ୟାସ ଯୋଗାଣ ବନ୍ଦ କରାଯିବା ପରେ ମୋଟର ପମ୍ପ ସାହାଯ୍ୟରେ ପାଣି ସିଞ୍ଚନ କରାଯାଇଥିଲା। ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଓ ଧୂଆଁ ଯୋଗୁଁ ସୋସାଇଟିର ସିଡ଼ି ଧୂଆଁରେ ଭର୍ତ୍ତି ହୋଇଯାଇଥିବାରୁ କିଛି ଲୋକ ସିଡି ଉପରେ ଫସି ରହିଥିଲେ।

nis-ad
Leave A Reply

Your email address will not be published.