ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସମନ୍ଵୟ ବୈଠକ

ମାଲକାନଗିରି (୧୪/୦୩) : ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ଅଧ୍ୟକ୍ଷତା କରି ଅଧିକାରୀ ମାନଙ୍କୁ କ୍ଷେତ୍ର ଗସ୍ତ କରି ଦାୟିତ୍ଵ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ନିମନ୍ତେ କଳା ସିଣ୍ଟେକ୍ସ ବଦଳରେ ଧଳା ରଙ୍ଗର ସିଣ୍ଟେକ୍ସରେ ଜଳ ଅପେକ୍ଷାକୃତ ଥଣ୍ଡା ରହିବା ଯୋଗୁଁ ତାକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୟୁବ୍ ୱେଲ ନିକଟରେ ଚୁଆଁ ଖୋଳି ଅବ୍ୟବହୃତ ଜଳକୁ ପଶୁପକ୍ଷୀଙ୍କ ପାନୀୟ ନିମନ୍ତେ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରି କାର୍ଯ୍ୟ ତଦାରଖ କରିବା ଦାୟିତ୍ବ ଦିଆଯାଇଛି। ସଂପୃକ୍ତ ବ୍ଲକ ନିମନ୍ତେ ନିୟୋଜିତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି କୁହାଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଚବିଶ ଘଂଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ଜନସାଧାରଣ ଟୋଲ ଫ୍ରି ନମ୍ବର ୧୦୭୭ ଏବଂ ଲ୍ୟାଣ୍ଡ ଫୋନ୍ ନମ୍ବର *୦୬୮୬୧-୨୩୧୩୭୧ ରେ ଯୋଗାଯୋଗ କରି ସହାୟତା ନେଇପାରିବେ। ସେହିପରି ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ରେ ମଧ୍ୟ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରି ୪୮ ଘଣ୍ଟା ମଧ୍ୟରେ ଅଭିଯୋଗକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନାଗ୍ନିକୁ ରୋକିବା ପାଇଁ ଅଗ୍ନିଶମ ଓ ଅରଣ୍ୟ ବିଭାଗ ସମନ୍ଵୟ ରକ୍ଷା କରି ପଦକ୍ଷେପ ନେବେ । ଲୋକଙ୍କ ସଚେତନତା ନିମନ୍ତେ ପଞ୍ଚାୟତ , ରାଜସ୍ୱ ନିରୀକ୍ଷକ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଦ୍ବାରା ସଚେତନ କରିବା ସହ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଟିଭି ଓ ଖବରକାଗଜରେ ସଚେତନ କରାଯିବ।ପାନୀୟ ଜଳ ନିମନ୍ତେ ପୂର୍ବରୁ ଭାଙ୍ଗି ପଡିଥିବା ନଳକୂପ, ଗ୍ରାମ୍ୟ ଜଳ ଯୋଗାଣ ପାଇପ ଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ନିମନ୍ତେ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ଓ ସହରାଞ୍ଚଳ, ବଜାର, ହାଟ, ଛକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଜଳ ଛତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି। ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା, ଉପଖଣ୍ଡ ଚିକିତ୍ସାଳୟ ,ପିଏଚସି, ସିଏଚସି ମାନଙ୍କରେ ସମସ୍ତ ପ୍ରକାର ବ୍ୟବସ୍ଥା ସହ ସଜାଗ ରହିବା ସହ ଓଆରଏସ, ସଲାଇନ, ଲାଇଭ ସେଭିଂ ଡ୍ରଗ, ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରମିକ ମାନଙ୍କୁ ଦିନ ୧୧ଟାରୁ ୩:୩୦ ମଧ୍ୟରେ କର୍ଯ୍ୟ ପାଇଁ ବାରଣ ରହିଛି। କାର୍ଯ୍ୟ କରୁଥିବା ସ୍ଥାନ ଗୁଡ଼ିକରେ ପାନୀୟ ଜଳ, ଓଆରଏସ ଆଦି ମହଜୁଦ ରଖିବେ। ଯଦି କୌଣସି ଠିକାଦାର ନିୟମ ଉଲଙ୍ଘନ କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରନ୍ତି ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ଘରୋଇ ବସରେ ସଚେତନତା ବାର୍ତ୍ତା ସହ ପାନୀୟ ଜଳ, ଫାଷ୍ଟ ଏଡ୍ ବାକ୍ସ, ଓଆରଏସ ରଖିବା ସହ ଯାତ୍ରୀଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୃହପାଳିତ ପଶୁମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଗ୍ରାମାଞ୍ଚଳରେ ମୋବାଇଲ ଭ୍ୟାନ ସେବା ଯୋଗାଇଦେବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟ କୁ ଦୃଷ୍ଟିରେ ରଖି ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କୁ ପୂର୍ବ ସୂଚନା ଦେଇ କାର୍ଯ୍ୟ କରିବାକୁ କୁହାଯାଇଛି। ଏହାଛଡା ସାମାଜିକ ସୁରକ୍ଷା ଯୋଜନା ଅଧିନରେ ଚାଉଳ ଓ ପେନସନ ବଣ୍ଟନ ସକାଳ ୯ ଟା ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଓଆରଏସ ବ୍ୟବସ୍ଥା ସହ ବାହାର କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ କୁହାଯାଇଛି। ଏ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତାକୁ ଦେଖି ଜଳସମ୍ପଦ ବିଭାଗକୁ ଜଳ ଭଣ୍ଡାର ରୁ କେନାଲ ମାଧ୍ୟମରେ ଜଳ ଯୋଗାଣ ନିମନ୍ତେ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.