ମାଟ୍ରିକ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ…

ଭୁବନେଶ୍ୱର: ଶିକ୍ଷାବ୍ୟବସ୍ଥାକୁ ମଜବୁତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର କାରଣ ବଢ଼ାଇଛି। ସେହିପରି ସମ୍ମେଟିଭ ଓ୍ୱାନ ପରୀକ୍ଷାରେ ୧୩ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୬୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ତେଣୁ ଏବେ ପରୀକ୍ଷା ପାଇଁ ଫର୍ମ ପୂରଣ ସଂଖ୍ୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରୁ ଶନିବାର ପ୍ରଥମ ଦିନରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। କଟକରେ ୪୨୦, ଖୋର୍ଦ୍ଧାରେ ୫୦୦, କେନ୍ଦ୍ରାପଡାରେ ୨୨୫, ଯାଜପୁରରେ ୭୫୫ରୁ ଅଧିକ ଅନୁପସ୍ଥିତ ଥିବା ସୂଚନା ରହିଛି। ଗତବର୍ଷ ନବରଙ୍ଗପୁରରେ ପ୍ରାୟ ୨୧୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ନ ଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ସ୍କୁଲର। ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୭୯ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଛି।

ପରୀକ୍ଷା ସମୟରେ ଅନୁପସ୍ଥିତ ଥିବା ସର୍ବାଧିକ ୧୯୬ ଜଣ ଛାତ୍ରଛାତ୍ରୀ ରାଇଘର ବ୍ଲକର ହୋଇଥିବା ବେଳେ ସର୍ବନିମ୍ନ ୫୪ ଜଣ ଅନୁପସ୍ଥିତ ଅଛନ୍ତି ଚନ୍ଦାହାଣ୍ଡି ବ୍ଲକର। ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପ୍ରାୟ ୧୫ ହଜାର ୫୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୪ହଜାର ୫୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଦିନରେ ୯୭୩ଜଣ ଛାତ୍ରଛାତ୍ରୀ (କେତେକ ପୂର୍ବତନ ରେଗୁଲାରଙ୍କୁ ମିଶାଇ) ପରୀକ୍ଷା ଦେଇ ନ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସୂଚନା ଦେଇଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀ କାମଧନ୍ଦା ଅନ୍ୱେଷଣରେ ଓଡ଼ିଶା ବାହାରକୁ ଚାଲିଯାଉଥିବାରୁ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହୁଥିବା ସଂଖ୍ୟା ବୃଦ୍ଧି ପାଉଛି ବୋଲି ସନ୍ଦେହ କରାଯାଉଛି।

ପ୍ରଥମ ଦିନର ସାହିତ୍ୟ ପରୀକ୍ଷା ଶେଷ ହୋଇଥିବା ବେଳେ ଆହୁରି ଅନେକ ପ୍ରଶ୍ନପତ୍ର ବାକି ରହିଛି। ସୋମବାର ଇଂରାଜୀ ପରୀକ୍ଷା ରହିଛି। ତେଣୁ ସମସ୍ତ ପରୀକ୍ଷା ସରିବା ପରେ ହିଁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଠିକ୍ ଆକଳନ କରାଯାଇ ପାରିବ। ବର୍ତ୍ତମାନର ତଥ୍ୟ ଏପରି କିଛି ନୁହେଁ ଯାହା ଆମେ କିମ୍ବା ବୋର୍ଡ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛୁ କିମ୍ବା ଗ୍ରହଣ କରିଛୁ। ଆମେ ତଥ୍ୟ ମାଗିଥିଲୁ। ପରୀକ୍ଷା ଶେଷ ହେବା ପରେ ଆମେ ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରିବୁ ଏବଂ ସତ୍ୟାସତ୍ୟ ଜାଣିପାରିବୁ ବୋଲି ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

nis-ad
Leave A Reply

Your email address will not be published.