ସିଲ୍‌ ହେବ ସମ୍ରାଟ ମାର୍କେଟ୍‌ କୋଠା..!

ପୁରୀ :‌ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସ ଅଗ୍ନିକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୬ ଘଣ୍ଟା ପରେ ଏହି ମା‌ର୍କେଟ୍‌ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ନିୟନ୍ତ୍ରଣକୁ ଆଣିଛି। ଅଗ୍ନିକାଣ୍ଡ ପରେ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତିକୁ ନେଇ ପ୍ରଶାସନ ଆଶଙ୍କାରେ ରହିଛି। ନିଆଁ ଲାଗିବା ପରେ କୋଠାର କାନ୍ଥ, ପିଲାର ଆଦିରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ପଡ଼ିବା ସହ ଅଘଟଣ ଆଶଙ୍କା ରହିଛି। ଏଣୁ ଖୁବଶୀଘ୍ର ପ୍ରଶାସନ ଏହି କୋଠାକୁ ସିଲ୍‌ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କେବଳ ପୂର୍ତ୍ତ ବିଭାଗର ଯାଞ୍ଚ ପ୍ରମାଣପତ୍ରକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏହି ମାର୍କେଟ୍‌ କମ୍ପ୍ଲେକ୍ସ ଏକ ବିବାଦୀୟ ଜାଗାରେ ଠିଆ ହୋଇଥିବା ଓ ଏହି ଜାଗା ମହାପ୍ରଭୁଙ୍କ ନାଁରେ ଥିବା ଜଣାପଡ଼ଛି।

ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ୭ଟାରୁ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସରେ ବ୍ୟାଟେରି ସଟ୍‌ ସର୍କିଟ୍‌ରୁ ଲାଗିଥିବା ନିଆଁକୁ ୧୦ ତାରିଖ ସକାଳ ପ୍ରାୟ ୮ଟାରେ ନିୟନ୍ତ୍ରଣକୁ ଆଣିଥିଲା ଅଗ୍ନିଶମ ବିଭାଗ। ନିଆଁ ଲିଭିବା ବେଳକୁ ଚାରିମହଲା ବିଶିଷ୍ଟ କୋଠାର ଦୁଇଟି ମହଲା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏଠାରେ ଥିବା ଦୋକାନ ଘର ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ୩୬ ଘଣ୍ଟା ଧରି ଲଗାତର ପାଣି ମାଡ଼ ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲେ ବି ଭୟ ଟଳିନି। ଏବେ ବି କୋଠାର ବିଭିନ୍ନ ସ୍ଥାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। କୋଠାର ଭିତର ଓ ବାହାର ସହ ଆଖପାଖ ପରିବେଶରେ ତାତି ରହିଛି। ଏଣୁ ଅଗ୍ନିଶମ ବିଭାଗ ଆଜି ପୁଣି କୋଠାରେ ପାଣି ପକାଇଛି। ସେପଟେ ଜିଲ୍ଲା ପ୍ରଶାସନ ଏହି କୋଠାକୁ ଆଜି ବି ନିଜ ନିୟନ୍ତ୍ରଣରେ ରଖିଛି। କୋଠାକୁ ଦୋକାନୀ ଓ ବାହାର ଲୋକଙ୍କ ପ୍ରବେଶରେ କଟକଣା ଲଗାଯାଇଛି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ନିଆଁ ଲାଗିବା ପରେ କୋଠା ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି। କୋଠା ଏବେ ବି ପ୍ରବଳ ଗରମ ଥିବାରୁ ଏହା ଭିତରେ ପଶିବା ସମ୍ଭବପର ହେଉନି। ଚାରିଆଡ଼େ ଫାଟ ରହିଥିବାରୁ କିଛି ବି ଅଘଟଣର ଆଶଙ୍କା ରହିଛି। ଦିନେ ଦୁଇଦିନ ଭିତରେ ପୂର୍ତ୍ତ ବିଭାଗର ଅଧିକାରୀ, ଯନ୍ତ୍ରୀଙ୍କ ଦ୍ବାରା କୋଠାର ସ୍ଥିତି ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ, ଏହାକୁ ସିଲ୍‌ କରାଯିବ। ବାକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର, ଅଗ୍ନିଶମ ବିଭାଗ ଅଧିକାରୀ ଓ ଟାଉନ୍‌ ଥାନା ଅଧିକାରୀଙ୍କୁ ନେଇ ଗଠିତ ଯୁଗ୍ମ ଦଳ ଗତକାଲି ସେମାନଙ୍କ ତଦନ୍ତ ରିପୋର୍ଟ ଦେଇସାରିଛନ୍ତି।

ଜିଲ୍ଲାପାଳ ଏହି ରିପୋର୍ଟ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି, କେତେ ଟଙ୍କାର କ୍ଷୟକ୍ଷତି ହୋଇଛି, ତାହା ଆକଳନ ହୋଇନି। କେବଳ କେତେ ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ଦୋକାନ ସ୍ଥିତି କ’ଣ ରହିଛି, ତାର ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଛି। କେଉଁ ଦୋକାନ କେଉଁ ଦୋକାନୀଙ୍କର ତାହା ଚିହ୍ନଟ କରାଯାଇଛି। ତଳ ମହଲାରେ ୪୩ଟି ଦୋକାନ ଓ ପ୍ରଥମ ମହଲାରେ ଗୋଟିଏ ଦୋକାନ ଓ ଗୋଟିଏ ବ୍ୟାଙ୍କ ରହିଥିଲା। ସବୁର ଅନୁଧ୍ୟାନ ସରିଛି। ସେହି ଅନୁସାରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ବାକି ଜିଲ୍ଲାପାଳଙ୍କ ଆଦେଶକ୍ରମେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ଅପରପକ୍ଷେ ଯେଉଁ ଜାଗାରେ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି, ତାହା ଏକ ବିବାଦୀୟ ଜାଗା ବୋଲି ତହସିଲଦାର ଶ୍ରୀ ବେହେରା କହିଛନ୍ତି। ସେପଟେ ଚାରିମହଲା କୋଠା ବିଶିଷ୍ଟ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ଶ୍ରୀମନ୍ଦିର ପ୍ରଶାସନ ଜାଗାରେ ଥିବା ନେଇ ଚର୍ଚ୍ଚା ହେବା ପରେ ମନ୍ଦିର ପ୍ରଶାସନ ଏ ଉପରେ ଖୋଳତାଡ଼ ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଆମ ପାଖରେ ଏ ସମ୍ପର୍କିତ ଅଭିଯୋଗ ପହଞ୍ଚିଛି। ଆମେ ଏହାର ଖୋଳତାଡ଼ କରୁଛି। ଜମିର ହାଲ୍‌ ଓ ଶାବକ ପଟ୍ଟା ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛୁ। ଯଦି ଏହି ଜାଗା ଆମର ହୋଇଥିବା ନିଶ୍ଚିତ ଏ ଦିଗରେ ପଦକ୍ଷେପ ନେବୁ ବୋଲି ଶ୍ରୀ ଜେନା କହିଛନ୍ତି।

nis-ad
Leave A Reply

Your email address will not be published.