ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ ‘କୁକୁର ମାଂସ’ ଖାଇବା ଅଭ୍ୟାସ ବିଷୟରେ କହିଥିଲେ। ଏହି ବୟାନକୁ ନେଇ ଶୁକ୍ରବାର ଆସାମ ବିଧାନସଭାରେ ତୀବ୍ର ହଙ୍ଗାମା ହୋଇଥିଲା । ବିରୋଧୀ ଦଳ ସଦସ୍ୟମାନେ ଏହାକୁ ବିରୋଧ କରିବା ସହ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କ ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ ।
ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟମାନେ ଠିଆ ହୋଇ ନାରାବାଜି କରିବା ଆରମ୍ଭ କରିଥିଲେ। ବିରୋଧୀ ବିଧାୟକଙ୍କ ହଙ୍ଗାମାକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କୁ ଅଭିଭାଷଣକୁ ସଂକ୍ଷିପ୍ତ କରି ୧୫ ମିନିଟ୍ ରେ ଶେଷ କରିବାକୁ ପଡ଼ିଥିଲା। ମହାରାଷ୍ଟ୍ର ବିଧାୟକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିରୋଧୀ ସଦସ୍ୟମାନେ ଜାଣିବାକୁ ଚାହିଁଥିଲେ।
ବିଧାୟକ ବଚ୍ଚୁ କାଡୁ ମହାରାଷ୍ଟ୍ର ବିଧାନସଭାରେ ପ୍ରସ୍ତାବ ଦେଇଥିଲେ ଯେ ବୁଲା କୁକୁରଙ୍କ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଆସାମ କୁ ପଠାଯାଉ କାରଣ ଉତ୍ତରପୂର୍ବ ରାଜ୍ୟରେ ଲୋକମାନେ ବୁଲା କୁକୁର ଖାଆନ୍ତି ।
ତାଙ୍କର ଏହି ବୟାନକୁ ଆସାମର ବିରୋଧୀ ବିଧାୟକମାନେ ବିରୋଧ କରୁଛନ୍ତି । କଂଗ୍ରେସ ବିଧାୟକ କମଲାକ୍ଷା ଦେ ପୁରକାୟସ୍ତ ପ୍ରଥମେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ଓ କାଡୁଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବାକୁ ପ୍ରସ୍ତାବ ଦେଇଥିଲେ ।