ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର: ଠକ ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତର କେଉଁ ସମୟରେ ଡାକ୍ତରଖାନା ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ସଠିକ୍‌ ରେକର୍ଡ଼ ରଖାଯାଇ ପାରିବ ବୋଲି ଆଶା କରାଯାଉଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ଦୀର୍ଘବର୍ଷ ହେଲା ବାଧ୍ୟତାମୂଳକ କରାଯାଇ ସାରିଛି। କର୍ମଚାରୀମାନେ ବାୟୋମେଟ୍ରିକ୍ସ ମେସିନ୍‌ରେ ଟିପଚିହ୍ନ ଦେଉଛନ୍ତି। କିନ୍ତୁ ଡାକ୍ତରଙ୍କ ପାଇଁ ଏଇବିଏଏସ୍‌(ଆଧାର ଏନାବଲ୍ଡ ବାୟୋମେଟ୍ରିକ୍ସ ଆଟେଡାନ୍ସ ସିଷ୍ଟମ୍‌) ବ୍ୟବସ୍ଥା କରାଯାଇଛି। ଯାହାକି ସିଧାସଳଖ ଏନ୍ଏମ୍‌ସି(ନ୍ୟାସନାଲ୍‌ ମେଡିକାଲ କମିସନ୍‌) ସହିତ ସଂଯୋଗ ରହିଛି। ଡାକ୍ତରଙ୍କ ଉପସ୍ଥାନ ରିପୋର୍ଟ ଏନ୍‌ଏମ୍‌ସି ନିକଟକୁ ପଠାଯାଉଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ।

ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତରମାନେ ଠିକ୍‌ ସମୟରେ ଡ୍ୟୁଟିକୁ ଆସୁ ନଥିବା ଅଭି‌ଯୋଗ ହୋଇଥିଲା। ଏପରିକି କିଛି ନିର୍ଦ୍ଦିଷ୍ଟ ଡାକ୍ତର ମେଡିକାଲକୁ ଆସି ଉପସ୍ଥାନ ଦେବା ପରେ ସେମାନେ ଘରୋଇ କ୍ଲିନିକ୍‌କୁ ଚାଲି ଯାଉଥିବା ନେଇ ଅଭିଯୋଗ ଆସିଥିଲା। ଏଣୁ ଏଭଳି ଡାକ୍ତରଙ୍କୁ ଧରିବା ପାଇଁ ଗତ ୨୦୧୧-୧୨ରେ ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତାହା କିଛିବର୍ଷ କାମ କରିବା ପରେ ମେସିନ୍‌ ଖରାପ୍‌ ହୋଇଯିବା ଯୋଗୁଁ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଠପ୍‌ ହୋଇଯାଇଥିଲା। ଫଳରେ ପୁଣିଥରେ ଡାକ୍ତରମାନେ ତାଙ୍କ ଡ୍ୟୁଟିରେ ଅବହେଳା କରିବା ଆରମ୍ଭ କରି ଦେଇଥିଲେ। ଯାହାକୁ ନେଇ ରୋଗୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।

ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌କେସିଜିରେ ଗତ କିଛିବର୍ଷ ହେଲା ପୁଣିଥରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଛି। କରୋନା ପାଇଁ ପ୍ରାୟ ଦୁଇବର୍ଷ ହେଲା ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ହେଲେ କରୋନା କଟକଣା ଉଠିବା ପରେ ବାୟୋମେଟ୍ରିକ୍ସ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଥିବା ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏନ୍ଏମ୍‌ସିର ଗାଇଡ୍‌ ଲାଇନ୍‌ ଅନୁସାରେ କଲେଜର ଅଧ୍ୟାପକ, ଏସ୍‌ଆର୍‌ ଓ ଟ୍ୟୁଟର୍‌ଙ୍କ ପାଇଁ ଏଇବିଏଏସ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଅନ୍ୟ କର୍ମଚାରୀମାନଙ୍କ ପାଇଁ କେବଳ ସାଧାରଣ ବାୟୋମେଟ୍ରିକ୍ସ ବ୍ୟବସ୍ଥା ରହିଥିବା ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି। ମେଡିକାଲ କଲେଜରେ ପ୍ରାୟ ୧୫ଟି ଏଇବିଏଏସ୍ ମେସିନ୍‌ ଲାଗିଛି।

ଏମ୍‌କେସିଜି ମେଡିକାଲ କଲେଜ, ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଇନ୍‌ଡୋର୍‌, ଆଉଟ୍‌ଡୋର୍‌ ସହିତ ବିଭିନ୍ନ ବିଭାଗରେ ବାୟୋମେଟ୍ରିକ୍ସ ମେସିନ୍‌ ଲାଗିଛି। ସେହିପରି କଲେଜର ପ୍ରଶାସନିକ କୋଠାର ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ମେସିନ୍‌ ଲାଗିଛି। କରୋନା ପରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.