ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…

ଯାଜପୁର: ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ।

ସୂଚନା ମୁତାବକ ବ୍ଲକର କବାଟବନ୍ଧ, ବୃନ୍ଦଦେଇପୁର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଗତକାଲି ରାତିରେ ତାଙ୍କ ସରକାରୀ ବାସଭବନରେ ଭିତର ପଟୁ କବାଟ ବନ୍ଦ କରି ରୁମରେ ଥିଲେ। ତେବେ ବାହାରକୁ ନଆସିବାରୁ ତାଙ୍କ ବାସଭବନ ନିକଟରେ ରହୁଥିବା ସହକର୍ମୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ଘରର କବାଟ ବାଡ଼େଇ ଥିଲେ ମଧ୍ୟ ବହୁ ସମୟ ଧରି କବାଟ ନଖୋଲିବାରୁ ବ୍ଲକର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଖବର ଦିଆଯାଇଥିଲା। ବିଡ଼ିଓ ଶ୍ରୀ ବଳ ସେଠାରେ ପହଞ୍ଚି କର୍ମଚାରୀଙ୍କ ସହଯୋଗରେ କବାଟ ଭାଙ୍ଗିଥିଲେ। ଏହି ସମୟରେ ଶ୍ରୀ ପଣ୍ଡା ରୁମ୍ ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ମେଡିକାଲରେ ପହଞ୍ଚିଥିଲେ।

ଏପଟେ ଧର୍ମଶାଳା ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

nis-ad
Leave A Reply

Your email address will not be published.