ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶେର ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ତତେ ବଞ୍ଚେଇ ଦିଆଯିବ ବୋଲି ମଧ୍ୟ ଆଶ୍ବସ୍ତି ଦିଆଯାଇଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହା କହିଛନ୍ତି କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାର ଗୋପାଳକୁ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି। କଟକ ମେଡିକାଲର ଏକ ଡାକ୍ତରୀ ଟିମ କହିସାରିଲାଣି ଯେ, ଗୋପାଳ ପାଗଳ ନୁହେଁ। କାହିଁକି ପୁଲିସ ତାକୁ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛି। ଏହା ବହୁତ ବଡ଼ ଷଡଯନ୍ତ୍ର। ପୁଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି, ତାହା ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଦଣ୍ଡ ବିଧାନରେ ପାଗଳ ପାଇଁ କୋହଳ ଅଛି। କୋହଳ ପାଇଁ ପୁଲିସ ଯୋଜନା କରୁଛି। ଘଟଣା ପଛରେ କିଏ, ହତ୍ୟାର ଉଦେଶ୍ୟ କଣ ପୁଲିସ ବାହାର କରିବାକୁ ଚେଷ୍ଟା କରୁନାହିଁ।

ହତ୍ୟାର କିଛି ସମୟ ପରେ ଜଣେ ଡାକ୍ତର କହିଲେ ଗୋପାଳ ପାଗଳ। ଏହା ମଧ୍ୟ ଏକ ଷଡଯନ୍ତ୍ର। କେମିତି ଆବିର୍ଭାବ ହେଲେ ଏବଂ ମନ୍ତବ୍ୟ ଦେଲେ, ଷଡ଼ଯନ୍ତ୍ର ଭଳି ଲାଗୁଛି। ଏହି ଷଡଯନ୍ତ୍ରକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା କଥା। ଘଟଣାକୁ ଟୁଇଷ୍ଟ ବା ଏକ ମୋଡ଼ ଦେବା ପାଇଁ ଚେଷ୍ଟା କରାଯାଇଛି। ଯଦି ତାର ମାନସିକ ଅବସ୍ଥା ଠିକ ନାହିଁ। ତେବେ ତାକୁ କେମିତି ମାଜିଷ୍ଟ୍ରେଟଙ୍କ ଆଗରେ ପେଶ କରାଗଲା। ତାର ବୟାନକୁ ରେକର୍ଡ କେମିତି କରାଗଲା। ଏସବୁ ଡ୍ରାମା କରୁଛି ପୁଲିସ। ଯେମିତି ଗୋପାଳ ବାହାରିଯିବ। ଯେହେତୁ ବହୁ ବଡ଼ବଡ଼ ଲୋକ ଏଥିରେ ସମ୍ପୃକ୍ତ ତେଣୁ ତଦନ୍ତ ଭାର ସିବିଆଇକୁ ଦିଆଯାଉ। ଓଡ଼ିଶା ପୁଲିସ ତଦନ୍ତକୁ ଦିଗହରା କରିବ ଏବଂ ଅନ୍ୟାନ୍ୟ ଘଟଣା ଭଳି ଏହାକୁ ମଧ୍ୟ ଚପାଇ ଦିଆଯିବ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ଜାନୁଆରି ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

nis-ad
Leave A Reply

Your email address will not be published.