ମାଣିକ ସାହା ହେବେ ପୁଣି ମୁଖ୍ୟମନ୍ତ୍ରୀ…

ଅଗରତାଲା : ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବେ ମାଣିକ ସାହା। ଆଜି ବିସିଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏହାର ଅର୍ଥ ସେ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନିକଟରେ ଶେଷ ହୋଇଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଆଇପିଏଫଟି ୩୩ଟି ଆସନ ଜିତିଥିଲେ।
ବିଜେପି ଏକାକୀ ୩୨ଟି ଆସନ ଦଖଲ କରିଛି ଓ ଆଇପିଏଫଟି କେବଳ ଗୋଟିଏ ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ବିଜେପି ସପକ୍ଷରେ ୩୩ ଜଣ ବିଧାୟକ ଥିବାରୁ ଦଳ ପୁଣିଥରେ ତ୍ରିପୁରାରେ କ୍ଷମତା ଦଖଲ କରିଛି।
ବୁଧବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଯୋଗଦେବେ। ମାଣିକା ସାହା ଆଜି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ ଯାଉଥିବା ସ୍ପଷ୍ଟ ହୋଇଛି।
୭୦ ବର୍ଷୀୟ ମାଣିକ ସାହାଙ୍କୁ ଗତବର୍ଷ ବିଜେପି ବେଶ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ବିପ୍ଳବ କୁମାର ଦେବଙ୍କୁ ହଟାଇ ବିଜେପି ତାଙ୍କୁ ନିର୍ବାଚନର ୧୦ ମାସ ପୂର୍ବରୁ ଶାସନ ଡୋରି ଦେଇଥିଲା। ଗୋଟିଏ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରାର ନାରା ଦେଇ ମାଣିକ ସାହା ଶାସନ ଆରମ୍ଭ କରିଥିଲେ। ତାଙ୍କ ନେତୃତ୍ୱରେ ଦଳ ଏଥର ବିଧାନସଭା ନିର୍ବାଚନ ଲଢ଼ିଥିଲା ଓ ବିଜୟୀ ମଧ୍ୟ ହୋଇଥିଲା। ତେବେ ୨୦୧୮ ତୁଳନାରେ ବିଜେପି ଏଥର କମ ଆସନ ପାଇଛି। ମାଣିକ ସାହା ଟାଉନ ବାରଡୋୱାଲି ଆସନରୁ ନିର୍ବାଚନ ଜିତିଛନ୍ତି।
ମାଣିକ ସାହା ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପୂର୍ବ ରାଜ୍ୟରେ ବିଜେପିର ନିର୍ବାଚନୀ ରଣନୀତିଜ୍ଞ ହିମନ୍ତ ବିଶ୍ୱଶର୍ମା ତ୍ରିପୁରାରେ ପହଞ୍ଚିଥିଲେ। ସେ ମୁଖ୍ୟମନ୍ତ୍ରୀ ମାଣିକ ସାହା ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି କ୍ୟାବିନେଟ ଗଠନ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିଥିଲେ।

nis-ad
Leave A Reply

Your email address will not be published.