ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ, ମୁଖ୍ୟମନ୍ତ୍ରୀ ଙ୍କ ଶୋକ…

ଭୁବନେଶ୍ୱର : ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍‌ । ସେ ହେଉଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ସେ ଦୀର୍ଘ ମାସାଧିକାଳ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ସେ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି ।

ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ । ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରାଯାଇ ସାହାଯ୍ୟ କରାଯାଇଥିଲା। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ । ସମସ୍ତଙ୍କୁ ଛାଡି ପରପାରୀକୁ ଚାଲିଗଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ।

ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ। ‘ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ’। ‘ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର, ଧାରାବାହିକରେ ଛାପ ଛାଡ଼ିଯାଇଛନ୍ତି’। ଦର୍ଶକଙ୍କ ହୃଦୟରେ ପିଣ୍ଟୁ ନନ୍ଦ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଟ୍ଵିଟ୍‌ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜମାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ। ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୋଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଦିଲ୍ଲୀରୁ ପୁଣି ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। ସେଠାରେ ଗତକାଲି ପ୍ରାୟ ରାତି ସାଢ଼େ ୧୧ଟା ବେଳେ ପିଣ୍ଟୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.