ଆରମ୍ଭ ହେଲା +୨ ବାର୍ଷିକ ପରୀକ୍ଷା : ଦକ୍ଷିଣାଞ୍ଚଳରେ ୭୨, ୫୭୨ ପରୀକ୍ଷାର୍ଥୀ…

ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨୦୨୩ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଛି l ପୂର୍ବାହ୍ଣ ୧୦ଟାରେ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ପ୍ରଥମ ସିଟିଂରେ ସରୁଥିବା ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ଦ୍ବିତୀୟ ବଡ଼ ପରୀକ୍ଷା ଆଗାମୀ ଅପ୍ରେଲ୍ ମାସ ୫ ତାରିଖ ଦିନ ଶେଷ ହେବ l ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମଧିକ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ (ଇ.ଏମ୍.ଏଚ୍.) ଅଧୀନରେ ସର୍ବମୋଟ ୨0୭ଟି ପରୀକ୍ଷା କେନ୍ଦ୍ର ରହିଛି l ପରୀକ୍ଷା ଆରମ୍ଭ ହେବାର ଅନ୍ୟୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ ଓ ଜଣେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଏବଂ ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସମ୍ପୃକ୍ତ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ସିଲ୍ ହୋଇଥିବା ଉତ୍ତରଖାତା ପ୍ୟାକେଟ୍ ଦାଖଲ କରିବେ l
ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳା ସ୍ରୋତରେ ୫୦୨୦୦, ବିଜ୍ଞାନ ସ୍ରୋତରେ ୧୯୨୭୯ , ବାଣିଜ୍ୟ ସ୍ରୋତରେ ୫୦୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୯୦୦ ଜଣ ଏହିପରି ମୋଟ ୭୫, ୪୬୭ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୬୭, ୯୮୬ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୪,୫୮୬ ଏହିପରି ମୋଟ ୭୨, ୫୭୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l
ଗଞ୍ଜାମ ଜିଲ୍ଲାରେ ୧୬ଟି ହବ୍ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୧୯୧୨୬, ବିଜ୍ଞାନରେ ୯୫୭୮, ବାଣିଜ୍ୟରେ ୨୩୪୪, ଧନ୍ଦାମୂଳକ ଶିକ୍ଷାରେ ୨୭୭ ପରୀକ୍ଷାର୍ଥୀ ଏହିପରି ମୋଟ ୩୧, ୩୨୫ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରେଗୁଲାର୍ ଭାବେ ୨୯,୧୨୩ ଓ ଏକ୍ସ-ରେଗୁଲାର୍ ଭାବେ ୧୦୨୨ ଏହିପରି ସର୍ବମୋଟ ୩୦, ୧୪୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଗଜପତି ଜିଲ୍ଲାରେ ୪ଟି ହବ୍ ଓ ୧୬ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩୬୦୧, ବିଜ୍ଞାନରେ ୯୮୯, ବାଣିଜ୍ୟରେ ୧୧୦, ଧନ୍ଦାମୂଳକ ଶିକ୍ଷାରେ ୧୨୮ ଜଣ ପରୀକ୍ଷାର୍ଥୀଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୪୩୫୫ ଜଣ ଓ ଏକ୍ସ-ରେଗୁଲାର୍ ଭାବେ ୩୮୪ ଏହିପରି ସର୍ବମୋଟ ୪୭୩୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l
କୋରାପୁଟ ଜିଲ୍ଲାରେ ୬ଟି ହବ୍ ଓ ୨୬ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୫୭୧୨, ବିଜ୍ଞାନରେ ୨୭୭୪, ବାଣିଜ୍ୟରେ ୯୧୯, ଧନ୍ଦାମୂଳକ ଶିକ୍ଷାରେ ୧୭୫ ଏହିପରି ୯୫୭୮ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ରେଗୁଲାର୍ ଭାବେ ୮୬୩୨ ଓ ଏକ୍ସ-ରେଗୁଲାର୍ ଭାବେ ୮୬୬ ଏହିପରି ସର୍ବମୋଟ ୯୪୯୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ମାଲକାନଗିରି ଜିଲ୍ଲାରେ ୩ଟି ହବ୍ ଓ ୧୫ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩୧୫୬, ବିଜ୍ଞାନରେ ୧୨୩୪, ବାଣିଜ୍ୟରେ ୪୨୫ ଏହିପରି ୪୮୧୫ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୪0୭୬ ଓ ଏକ୍ସ-ରେଗୁଲାର୍ ଭାବେ ୪୨୮ ଏହିପରି ସର୍ବମୋଟ ୪୫୦୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି l
ନବରଙ୍ଗପୁର ଜିଲ୍ଲାରେ ୩ଟି ହବ୍ ଓ ୨0ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୪୪୯୧, ବିଜ୍ଞାନରେ ୧୭୫୯, ବାଣିଜ୍ୟରେ ୩୮୭ ଏହିପରି ୬୬୩୭ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୫୮୮୭ ଓ ଏକ୍ସ-ରେଗୁଲାର୍ ଭାବେ ୬୨୦ ଏହିପରି ସର୍ବମୋଟ ୬୫୦୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ କେହି ପରୀକ୍ଷାର୍ଥୀ ନାହାନ୍ତି l ରାୟଗଡ଼ା ଜିଲ୍ଲାରେ ୫ଟି ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୪୦୮୮, ବିଜ୍ଞାନରେ ୧୮୯୫, ବାଣିଜ୍ୟରେ ୬୭୧, ଧନ୍ଦାମୂଳକ ଶିକ୍ଷାରେ ୭୮ ଏହିପରି ମୋଟ ୬୭୪୭ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୬୧୪୫ ଜଣ ଓ ଏକ୍ସ-ରେଗୁଲାର୍ ଭାବେ ୪୪0 ଏହିପରି ସର୍ବମୋଟ ୬୫୮୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l
ସେହିପରି ବୌଦ୍ଧ ଜିଲ୍ଲାରେ ୩ଟି ହବ୍ ଓ ୧୦ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩୭୧୭, ବିଜ୍ଞାନରେ ୧୭୨, ବାଣିଜ୍ୟରେ ୧0, ଧନ୍ଦାମୂଳକ ଶିକ୍ଷାରେ ୬୬ ଏହିପରି ୩୯୭୪ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୩୪୨୮ ଓ ଏକ୍ସ-ରେଗୁଲାର୍ ଭାବେ ୧0୮ ଏହିପରି ସର୍ବମୋଟ ୩୫୩୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l କନ୍ଧମାଳ ଜିଲ୍ଲାରେ ୫ଟି ହବ୍ ଓ ୨୩ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୬୩0୯, ବିଜ୍ଞାନରେ ୮୭୮, ବାଣିଜ୍ୟରେ ୨୨୨, ଧନ୍ଦାମୂଳକ ଶିକ୍ଷାରେ ୧୩୮ ଏହିପରି ୭୫୬୩ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ରେଗୁଲାର୍ ଭାବେ ୬୩୭୫ ଓ ଏକ୍ସ-ରେଗୁଲାର୍ ଭାବେ ୬୮୩ ଏହିପରି ସର୍ବମୋଟ ୭୦୫୮ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ଜଣାପଡ଼ିଛି l
ଚଳିତ ବର୍ଷ +୨ ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ଭାବେ ପରିଚାଳନା କରିବା ନିମନ୍ତେ ସର୍ବାଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l ଇତିମଧ୍ୟରେ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାର ୪୫ଟି ଯାକ ପରୀକ୍ଷା ପରିଚାଳନା ହବ୍ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିଯାଇଛି l ପ୍ରତ୍ୟେକ ହବ୍ କଣ୍ଟ୍ରୋଲ୍ ରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ୨୪ ଘଣ୍ଟିଆ ସିସି-କ୍ୟାମେରା ସର୍ଭିଲେନ୍ସ ମଧ୍ୟରେ ପ୍ରଶ୍ନପତ୍ର ରଖଆଯାଇଛି l ମାର୍ଚ୍ଚ ୧ ତାରିଖ ପ୍ରଥମ ସିଟିଂରେ ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ରହିଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି l

nis-ad
Leave A Reply

Your email address will not be published.