ରାଜ୍ୟରେ ଆରମ୍ଭ ହେବ ଓବିସି ଗଣନା…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି ସର୍ଭେକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ରାଜ୍ୟରେ ଓବିସି ଗଣନାର ସମସ୍ତ ପ୍ରକ୍ରିୟା ଶେଷ ହେବ । ରାଜ୍ୟର ପ୍ରାୟ ୫୪ ପ୍ରତିଶତ ଲୋକ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ହୋଇଥିବାରୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହି ସର୍ଭେ ଶେଷ କରାଇ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଶାସକ ବିଜେଡିର ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଓ ୧୧୪ଟି ପୌରାଂଚଳ(ମହାନଗର ନିଗମ ସମେତ)ରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସ୍ଥିତି ଜାଣିବା ପାଇଁ ସର୍ଭେ ଆରମ୍ଭ ହେବ । ଏହି ସମସ୍ତ ଗଣନା ପ୍ରକ୍ରିୟା ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଶେଷ ହେବ । ଏଥିପାଇଁ ରାଜ୍ୟ ଓବିସି କମିଶନଙ୍କ ସଦସ୍ୟ ସଚିବ ଭି ଭି ଯାଦବ ଗତ ୨୪ତାରିଖରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ୬ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ ୩୦ଟି ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ୱ ନ୍ୟସ୍ତ ହୋଇଛି । ଆଜି ନିର୍ବାଚନ ଓ ଜନଗଣନାରେ ଅଭିଜ୍ଞତା ଥିବା ବରିଷ୍ଠ ଓଏଏସ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଆସନ୍ତା ସପ୍ତାହରେ ବ୍ଲକସ୍ତରରେ ସୁପରଭାଇଜର ଓ ଗଣନାକାରୀଙ୍କ ପାଇଁ ବିଡିଓ ଓ ତହସିଲଦାରଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ପଂଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଂଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟର ଆଦିମାନେ ଗଣନାକାରୀ କାର୍ଯ୍ୟ ତୁଲାଇବେ । ସେହିପରି ପ୍ରତ୍ୟେକ ୧୦ଜଣ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜର(ପଂଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡ଼ି ସୁପରଭାଇଜର, ମାର୍କେଟିଂ ଇନ୍ସପେକ୍ଟର, ସହରାଂଚଳର ଜୋନାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।

ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ର ଆଦିରେ ଏହି ସର୍ଭେ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ ୨ରୁ ୫ଜଣ ଲେଖାଏଁ ଗଣନାକାରୀ ରହିବେ । ଘରୋଇ ଡିଲର ଯେଉଁଠି ଥିବେ ସେହି କେନ୍ଦ୍ରରେ ଜଣେ ଲେଖାଏଁ ଗଣନାକାରୀ ରହିବେ । ନିର୍ଦ୍ଧାରିତ ଅବଧି ମଧ୍ୟରେ ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟ (ଆଇସିଆର ଫର୍ମ)ରେ କରାଯିବ । ଏଥିପାଇଁ ପରିବାରର ମୁଖିଆଙ୍କ ପରିଚୟ ପ୍ରମାଣପତ୍ରରୁ ଗୋଟିଏ (ଆଧାର କାର୍ଡ, ଭୋଟର କାର୍ଡ, ପ୍ୟାନ କାର୍ଡ ଅବା ପାସପୋର୍ଟ) ରହିବା ଜରୁରୀ । ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେବ । ଏହି ସର୍ଭେ ପ୍ରକ୍ର୍ରିୟା ଯେଭଳି ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ ହେବ ତାହା ଜିଲ୍ଲାପାଳ ଓ ମହାନଗର କମିଶନରମାନେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବା ସହ ସୁନିଶ୍ଚିତ କରିବେ । ଏପ୍ରିଲ-ମେ’ ମାସରେ ଏହି ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଚଳିତବର୍ଷ ଜାନୁୟାରୀ ୨୫ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଏହି ଓବିସି ସର୍ଭେ ପ୍ରକ୍ରିୟାକୁ କିଭଳି ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ,ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଆକଳନ ନିମନ୍ତେ ସର୍ଭେ କରାଇବା ପାଇଁ ରାଜ୍ୟ ଓବିସି କମିଶନଙ୍କୁ ଗତ ୨୦୨୧ ଫେବୃୟାରୀ ୨୬ତାରିଖରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । ୨୦୨୧ ମେ’ ମାସରୁ ଓବିସି ଗଣନା ଆରମ୍ଭ ପାଇଁ ମଧ୍ୟ କମିଶନ ପ୍ରସ୍ତୁତି କରି ସାରିଥିଲେ । କିନ୍ତୁ କୋଭିଡ୍ ମହାମାରୀ ଯୋଗୁ ଏହି ସର୍ଭେକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଓବିସି ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କ୍ଷମତାସୀନ ବିଜେଡି ସରକାର ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣ ଧାର୍ଯ୍ୟ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ସଂରକ୍ଷଣକୁ ରଦ୍ଦ କରିଥିଲେ ମଧ୍ୟ ବିଜେଡି ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ଓବିସି କାର୍ଡ ଖେଳି ସଫଳତା ହାସଲ କରିଥିଲା । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଆଉ ମାତ୍ର ୧୧ମାସ ଥିବାବେଳେ ଶାସକ ବିଜେଡି ପୁଣିଥରେ ଓବିସି କାର୍ଡ ଖେଳି ରାଜ୍ୟର ଏହି ବୃହତ ଭାଗ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏବେ ଓବିସି ବର୍ଗର ପିଲାମାନଙ୍କୁ ସରକାରୀ ନିଯୁକ୍ତିରେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି ।

ସୂଚନାଯୋଗ୍ୟ, ୧୯୫୧ ମସିହାରୁ କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ତଥ୍ୟ ଜାରି କରୁଥିଲେ ମଧ୍ୟ ଓବିସି ଓ ଅନ୍ୟ ଜାତିର କେତେ ଲୋକ ରହୁଛନ୍ତି ତା’ର ତଥ୍ୟ ଜାରି ହେଉନାହିଁ । ଗତ ଜାନୁୟାରୀ ମାସରେ ବିହାର ସରକାର ଓବିସି ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସ୍ଥିତି ଆକଳନ ସହ ସେମାନଙ୍କ ସଂଖ୍ୟା ଜାଣିବା ପାଇଁ ରାଜ୍ୟରେ ଜାତି ଗଣନା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଜେଡି ସରକାରଙ୍କ ଏଭଳି ପଦକ୍ଷେପ ଓବିସି ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅବଶ୍ୟ ଗତମାସରେ ରାଜ୍ୟ ବିଜେପି ପକ୍ଷରୁ ତୁରନ୍ତ ଓବିସି ସର୍ଭେ କରିବା ନିମନ୍ତେ କମିଶନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ସରକାର ତୁରନ୍ତ ଏହି ସର୍ଭେ ନକରିବେ,ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଥିଲେ ।

nis-ad
Leave A Reply

Your email address will not be published.