ରାଷ୍ଟ୍ରପତିଙ୍କ ପାଖକୁ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ପଠାଇଲେ ଦିଲ୍ଲୀର ଉପରାଜ୍ୟପାଳ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହିତ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରେ ଲିପ୍ତ ଥିବା କାରଣରୁ ରବିବାର ଦିନ ଗିରଫ ହେବା ପରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପଠାଇଥିବା ଇସ୍ତଫାପତ୍ରଟିକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗ୍ରହଣ କରିଥିଲେ। ସେହିପରି, ‘ମନି ଲଣ୍ଡରିଙ୍ଗ୍‌ ମାମଲା’ରେ ୯ ମାସ ହେବ ଜେଲ୍‌ରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ମଧ୍ୟ ମଙ୍ଗଳବାର ଦିନ ଇସ୍ତଫା ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ସିସୋଦିଆ ପରିଚଳନା କରୁଥିବା ଅର୍ଥ, ଯୋଜନା, ପବ୍ଲିକ୍‌ ୱାର୍କସ୍‌, ଶକ୍ତି ଏବଂ ଗୃହ ମନ୍ତ୍ରାଳୟ ସମେତ ଡଜନାଧିକ ବିଭାଗଗୁଡ଼ିକର ଦାୟିତ୍ବ ଏବେ ମନ୍ତ୍ରୀ କ‌ୈଳାସ ଗହଲଟ୍‌ ଏବଂ ରାଜକୁମାର ଆନନ୍ଦଙ୍କ ଉପରେ ନ୍ୟସ୍ତ କରାଯାଇଛି।
ବିଭାଗ ଅଦଳବଦଳ ସଂକ୍ରାନ୍ତରେ ଏଯାବତ୍‌ କୌଣସି ଔପଚାରିକ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ବିଜ୍ଞପ୍ତିଜାରି କରାଯିବା ପରେ ମନ୍ତ୍ରୀମାନେ ନୂଆ ବିଭାଗର ଦାୟିତ୍ବ ଗ୍ରହଣ କରିବେ।
ନାମ ଗୁପ୍ତ ରଖିବାକୁ ଅନୁରୋଧ କରି ଜଣେ ଅଧିକାରୀ କହିଛନ୍ତି, ୨ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି। ନୂଆ ମନ୍ତ୍ରୀ ନିଯୁକ୍ତି କରା ଯିବା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ବାଧା ନ ଉପୁଜିବା ଲାଗି ଉପରୋକ୍ତ ବିଭାଗଗୁଡ଼ିକୁ ସାମୟିକ ଭାବେ ମନ୍ତ୍ରୀ କ‌ୈଳାସ ଗହଲଟ୍‌ ଏବଂ ରାଜକୁମାର ଆନନ୍ଦଙ୍କ ଉପରେ ନ୍ୟସ୍ତ କରାଯାଇଛି।
ସଦ୍ୟତମ ସୂଚନା ଅନୁସାରେ, କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ବିଧାୟକ ସୌରଭ ଭରଦ୍ବାଜ ଓ ଆତିଶୀଙ୍କ ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି।

nis-ad
Leave A Reply

Your email address will not be published.