ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ, ଭାଙ୍ଗିଲା ଦୁଇଟି ଝରକାର କାଚ…

ବେଙ୍ଗାଲୁରୁ: କିଛି ଦିନର ନୀରବତା ପରେ ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି | ତେବେ ଏଥର ପଶ୍ଚିମବଙ୍ଗରୁ ନୁହେଁ ବରଂ ଦକ୍ଷିଣ ଭାରତରୁ ଏଭଳି ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଗତକାଲି ପଥର ମାଡ଼ରେ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର ଦୁଇଟି ଝରକା ନଷ୍ଟ ହୋଇଯାଇଛି। ବାସ୍ତବରେ, ଯେତେବେଳେ ଟ୍ରେନ୍ କୃଷ୍ଣରାଜପୁରମ୍-ବେଙ୍ଗାଲୁରୁ ଛାଵନୀ ରେଳ ଷ୍ଟେସନ ମଧ୍ୟରେ ପହଞ୍ଚିଥିଲା, କିଛି ଅସାମଜିକ ବ୍ୟକ୍ତି ଟ୍ରେନକୁ ପଥର ଫିଙ୍ଗିଥିଲେ | ଦକ୍ଷିଣ-ପଶ୍ଚିମ ରେଳବାଇ ଦ୍ୱାରା ଏହି ସୂଚନା ଦିଆଯାଇଛି | ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଅନ୍ୟପଟରେ କିଏ ପଥର ଫିଙ୍ଗିଛି ତାହା ଅନୁସନ୍ଧାନ କରିବାକୁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି।
ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ନଭେମ୍ବର ୧୧ରେ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |ଏହି ଏକ୍ସପ୍ରେସ ଟ୍ରେନ୍ ସପ୍ତାହରେ ଛଅ ଦିନ ଚାଲିଥାଏ | ଏହା ଚେନ୍ନାଇ ସେଣ୍ଟ୍ରାଲରୁ ସକାଳ ୫:୫୦ ରେ ଛାଡି ଦ୍ବିପ୍ରହର ୧୨:୩୦ରେ ମହୀଶୂରରେ ପହଞ୍ଚିଥାଏ | ଏହି ଆକ୍ରମଣ ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ପଶ୍ଚିମବଙ୍ଗର ମାଲଦାଠାରେ ହାଓଡ଼ା ଯାଉଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗାଯାଇଥିଲା। ଏହି ଘଟଣା ୨ ଜାନୁଆରୀରେ ଘଟିଥିଲା ​​| ଏହାର ଗୋଟିଏ ଦିନ ପରେ ଦାର୍ଜିଲିଂରୁ କୋଲକାତା ଯାଉଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, ଜାନୁଆରୀ ୨୦ରେ ମଧ୍ୟ ଟ୍ରେନ ଉପରକୁ ପଥର ଫିଙ୍ଗିବା ମାମଲା ସାମ୍ନାକୁ ଆସିଥିଲା, ଏହି ଟ୍ରେନ ନ୍ୟୁ ଜାଲପାଇଗୁରୀରୁ ହାଓଡ଼ା ଅଭିମୁଖେ ଯାଉଥିଲା।

nis-ad
Leave A Reply

Your email address will not be published.