ହାୱାଡା-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା

ବ୍ରହ୍ମପୁର : ମୁମ୍ବାଇ ଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ଭୁବନେଶ୍ୱର ସଂପ୍ରସାରଣ ଏବଂ ହାୱାଡ଼୍‌-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ଆଜି ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଗଂଜାମ ଜିଲ୍ଲାରୁ ବହୁ ଯାତ୍ରୀ ମୁମ୍ବାଇ ଯିବା ନିମନ୍ତେ ବ୍ରହ୍ମପୁର ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ତେବେ ମୁମ୍ବାଇ ଯିବା ପାଇଁ ଏକ ମାତ୍ର କୋଣାର୍କ ଟ୍ରେନ୍ ସହାୟକ ରହିଛି । ମୁମ୍ବାଇ ଠାରୁ ବିଶାଖାପଟଣା ଚଳାଚଳ କରୁଥିବା ଟ୍ରେନ୍ କୁ ଭୁବନେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନିମନ୍ତେ ଦାବୀ କରିଛି ସଂସ୍କାରବାଦୀ ଅନୁଷ୍ଠାନ । ଏହି ଟ୍ରେନ୍ ସଂପ୍ରସାରଣ ହେବା ଫଳରେ ଆନ୍ଧ୍ରପ୍ରଦେଶର ବହୁ ଅଚଂଳ ସହିତ ଓଡ଼ିଶାର ବ୍ରହ୍ମପୁର ଠାରୁ ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ଯାତ୍ରୀଙ୍କ ନିମନ୍ତେ ଏହା ସହାୟକ ହୋଇପାରିବ । ଏଥି ସହ ହାୱାଡ଼ରୁ ପଣ୍ଡିଚରୀ ଚଳାଚଳ କରୁଥିବା ସୁପରଫାଷ୍ଟ ଟ୍ରେନ୍‌କୁ ବ୍ରହ୍ମପୁର ରେଳ ଷ୍ଟେସନରେ ରହଣୀ ପାଇଁ ମଧ୍ୟ ଦାବୀ ହୋଇଛି । ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବ୍ରହ୍ମପୁର ରେଳଷ୍ଟେସନ ପ୍ରବନ୍ଧକ ଦୁର୍ଗାପ୍ରସାଦ ବ୍ରହ୍ମାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯଦି ଏହି ଦାବୀ ପୂରଣ ନହୁଏ ତେବେ ମାର୍ଚ୍ଚ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତିକ ଧାରଣା ଦିଆଯିବ ବୋଲି ସଭାପତି ତ୍ରିନାଥ ମହାରଣା ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାମେଶ୍ୱର ଶତପଥୀ, ପ୍ରମୋଦ କୁମାର ସାହୁ, ଲିଙ୍ଗରାଜ ମହାପାତ୍ର, ମନୋଜ କୁମାର ପଟ୍ଟନାୟକ, ଶିବ ପ୍ରସାଦ ମିଶ୍ର, ସିମାଚଂଳ ପତି, ବିଜୟଚନ୍ଦ୍ର ଚୌଧୁରୀ, ସୁବାସଚନ୍ଦ୍ର ସୁବୁଦ୍ଧିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.