ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍‌କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍‌ ହାଇକୋର୍ଟଙ୍କ ଆଦେଶ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍‌କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ୍‌ ରଖିଛନ୍ତି।
ଫଳରେ ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଚ୍‌ କରିଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍‌ ଶକ୍ତ ଧକ୍କା ପାଇଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି କରି ବିଚାରପତି ଦିନେଶ ମାହେଶ୍ବରୀ ଓ ହୃଷିକେଶ ରାୟଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଜୁଲାଇ ମାସରେ ଅନୁଷ୍ଠିତ ବିବାଦୀୟ ସାଧାରଣ ପରିଷଦ୍‌ର ବୈଠକ ବେଳେ ଦଳର ‘ବାଇଲ’ଗୁଡ଼ିକୁ ପରିବର୍ତ୍ତନ କରାଯାଇଥିବା ସଂକ୍ରାନ୍ତ ମାମଲାଗୁଡ଼ିକୁ ସୁପ୍ରିମ୍‌ କୋର୍ଟ ବିଚାରକୁ ନେଇ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଏଡପ୍ପାଦୀ ପଲାନୀସ୍ବାମୀ ‘ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ର କାଝଗାମ୍‌’ର (ଏଆଇଏଡିଏମ୍‌କେ) ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ସେପ୍ଟେମ୍ବର ୨ ତାରିଖରେ ମାଡ୍ରାସ୍‌ ହାଇକୋର୍ଟ ଆଦେଶ ଦେଇଥିଲେ।
ଏହି ମାମଲାକୁ ଚାଲେଞ୍ଜ୍‌ କରି ଓ’ ପନୀରସେଲ୍‌ଭମ୍‌ ଦାଏର କରିଥିବା ପିଟିସସନ୍‌ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ଦଳର ଦୁଇ ନେତା ‘ଇପିଏସ୍‌’ ଓ ‘ଓପିଏସ୍‌’ଙ୍କ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ରାଜ୍ୟରେ ୩ ଥର କାମଚଳା ମୁଖ୍ୟମନ୍ତ୍ରୀ ହୋଇଥିବା ଓ’ ପନୀରସେଲ୍‌ଭମ୍‌ଙ୍କୁ ଦଳର ବହିଷ୍କାର କରାଯାଇଥିଲା। ଏହାଛଡ଼ା, ‘ଏଆଇଏଡିଏମ୍‌କେ’ର ମୁଖ୍ୟାଳୟକୁ ମଧ୍ୟ ସିଲ୍‌ କରାଯାଇଥିଲା।

nis-ad
Leave A Reply

Your email address will not be published.