ଲାହୋରରେ ବସି ପାକିସ୍ତାନୀଙ୍କୁ ଜାଭେଦ ଅକତର କହିଲେ :ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ଏବେ ବି ଏଠାରେ ବୁଲୁଛନ୍ତି’

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ପାକିସ୍ତାନର ଲାହୋରରେ ଆୟୋଜିତ ହୋଇଥିବା ଫୈଜ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଜାଭେଦଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣ‌ର ବିଷୟରେ ଆଲୋଚନା କରି ପାକିସ୍ତାନ ଉପରେ ଆକ୍ଷେପ କରିଛନ୍ତି। ଆତଙ୍କବାଦୀଙ୍କୁ ନିଜେ ଦେଶରେ ସ୍ଥାନ ଦେବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଜାଭେଦ। ଏହି ଅବସରରେ ଜାଭେଦ କହିଛନ୍ତି, ‘ଆତଙ୍କବାଦୀ ଏବେ ବି ଆପଣଙ୍କ ଦେଶରେ ବୁଲୁଛନ୍ତି’।
ଫୈଜ ଫେଷ୍ଟିଭାଲ ୨୦୨୩ରେ ଯୋଗ ଦେଇ ଜାଭେଦ ଅଖତର କହିଛନ୍ତି, ‘ ମୁଁ ନୁସରତ ଓ ମେହଦି ହସନଙ୍କ ବଡ଼ବଡ଼ କାର୍ଯ୍ୟକ୍ରମ କରିଛି। ଆପଣଙ୍କ ଦେଶରେ ତ ଲତା ମଙ୍ଗେସକରଙ୍କ କୌଣସି କାର୍ଯ୍ୟକ୍ରମ ହୋଇନାହିଁ। ଛାଡନ୍ତୁ ପରସ୍ପର ଉପରେ ଦୋଷ ଦେବା ଠିକ ନୁହେଁ। କିନ୍ତୁ ଆପଣଙ୍କ ଦେଶରେ ଯେଉଁଭଳି ତାତି ଦେଖା ଦେଉଛି, ତାହା କମ ହେବା ଉଚିତ। ମୁଁ ମୁମ୍ବାଇ ବାସିନ୍ଦା। ମୁଁ ଦେଖିଛି ଆମ ସହର ଉପରେ ଆତଙ୍କବାଦୀମାନେ କିପରି ଆକ୍ରମଣ କରିଥିଲେ। ସେହି ଆତଙ୍କବାଦୀମାନେ ଆପଣଙ୍କ ଦେଶରେ ଏବେ ବି ବୁଲୁଛନ୍ତି। ଏହି ଅଭିଯୋଗ ଯଦି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହିଥିବ ତେବେ ଆପଣମାନଙ୍କୁ ଖରାପ ଲାଗିବାର କିଛି କାରଣ ନାହିଁ।’
ପାକିସ୍ତାନରେ ଦେଇଥିବା ଜାଭେଦଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଗୀତିକାରଙ୍କ ଏଭଳି ସିଧାସଳଖ ବୟାନକୁ ନେଇ ଭୁରିଭୁରି ପ୍ରଶଂସା କରିବା ସହିତ ଜାଭେଦଙ୍କ ସାହସକୁ ସଲାମ କରିଛନ୍ତି।

nis-ad
Leave A Reply

Your email address will not be published.