ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ନ ହେବା ଉଚିତ: ଚୀନ୍‌କୁ ସତର୍କ କଲା ଆମେରିକା

ନୂଆଦିଲ୍ଲୀ: ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା ଅନୁଚିତ।

ଏହାଛଡ଼ା, ବ୍ଲିଙ୍କେନ୍‌ ମଧ୍ୟ ୱାଙ୍ଗ୍‌ଙ୍କୁ କହିଛନ୍ତି ଯେ, ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ବେଜିଙ୍ଗ୍‌ ରୁଷ୍‌କୁ ଯୁଦ୍ଧ ସାମଗ୍ରୀ ଯୋଗାଇ ଦେଉଥିବା ଯୋଗୁଁ ମଧ୍ୟ ଚୀନ୍‌ ଉପରେ କଟକଣା ଜାରି କରାଯିବ।

ସୂଚନାଯୋଗ୍ୟ, ମ୍ୟୁନିକ୍‌ ବୈଶ୍ବିକ ନିରାପତ୍ତା ସମ୍ମିଳନୀ ଅବସରରେ ଦୁଇ କୂଟନୀତିଜ୍ଞ କୌଣସି ଏକ ସ୍ଥାନରେ ପରସ୍ପରକୁ ଭେଟିଥିଲେ। କିନ୍ତୁ, ସେମାନେ ଭେଟଭେଟି ହୋଇଥିବା ସ୍ଥାନ ନାଁ ଗୁପ୍ତ ରଖାଯାଇଛି।

ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆମେରିକାର ଆକାଶ ସୀମା ମଧ୍ୟକୁ ଅତି ଉଚ୍ଚରେ ଉଡୁଥିବା ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ ଛାଡ଼ି ଆମେରିକାର ସାର୍ବଭୌମତ୍ବ ଓ ଆନ୍ତର୍ଜାତିକ ଆଇନର ଅକ୍ଷମଣୀୟ ଉଲ୍ଲଂଘନ କରାଯାଇଛି ବୋଲି ସଚିବ ସିଧାସଳଖ ଚୀନା ପ୍ରତିପକ୍ଷଙ୍କୁ କହିଛନ୍ତି। ଏହାଛଡ଼ା, ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ନ ହେବା ଉଚିତ।

ଏହି ସାକ୍ଷାତ ବେଳେ ବ୍ଲିଙ୍କେନ୍‌ ପୁଣି ଥରେ ଯୋର୍‌ ଦେଇ କହିଛନ୍ତି ଯେ, ଦୀର୍ଘ ଦିନରୁ ପଡ଼ିରହିଥିବା ଆମେରିକାର ‘ୱାନ୍‌ ଚାଇନା’ ନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତାଇୱାନ୍‌ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ମଧ୍ୟ ସେ ‌ଗୁରୁତ୍ବାରୋପ କରିଛନ୍ତି ବୋଲି ମୁଖପାତ୍ର ପ୍ରାଇସ୍ କହିଛନ୍ତି।

nis-ad
Leave A Reply

Your email address will not be published.