ଶିବସୁନ୍ଦର ବିସିସିଆଇର ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା !

ମୁମ୍ବାଇ : ଷ୍ଟିଙ୍ଗ୍‌ ଅପସରେସନ୍‌ର ଶିକାର ହୋଇଥିବା ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ଶେଷରେ ନିଜ ପଦରୁ ହଟିବାକୁ ପଡ଼ିଛି। ଦ୍ବିତୀୟ ପାଳି ଦାୟିତ୍ବ ନେବାର ଦୁଇ ମାସ ନପୂରୁଣୁ ଚେତନଙ୍କୁ ଚୟନକର୍ତ୍ତା ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ତାଙ୍କ ଇସ୍ତଫାକୁ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି। ଫଳରେ ୫ ଜଣିଆ ଚୟନ ସମିତିରେ ଗୋଟିଏ ପଦ ଫାଙ୍କା ପଡ଼ିବାରୁ ଦ୍ବିତୀୟ ସର୍ବାଧିକ ଅଭିଜ୍ଞତା ଥିବା ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।
ତିନିଦିନ ତଳେ ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ଚେତନ ଭାରତୀୟ କ୍ରିକେଟ୍‌ରେ ଚାଲିଥିବା କିଛି ଭିତିରି କଥାକୁ କ୍ୟାମେରା ଆଗରେ କହିଦେଇଥିଲେ। ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବିରାଟ କୋହଲିଙ୍କ ସଂପର୍କ ଏବଂ ଭାରତୀୟ ଦଳରେ ସାମିଲ ହେବା ପାଇଁ ଆହତ ଖେଳାଳିମାନେ ଇଞ୍ଜେକ୍ସନ୍‌ର ସହାୟତା ନେବା ଭଳି କଥା ସେ କହିଥିଲେ। ତାଙ୍କ ଅଜାଣତରେ ସବୁ ବାର୍ତ୍ତାଳାପକୁ ଗୁପ୍ତ କ୍ୟାମେରାରେ ରେକର୍ଡ କରାଯାଇଥିଲା। ପରେ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଷ୍ଟିଙ୍ଗ୍‌ ଅପରେସନ୍‌ ଭିଡିଓ ପ୍ରସାରିତ ହେବାରୁ କ୍ରିକେଟ୍‌ ଜଗତରେ ଆଲୋଡ଼ନ ଖେଳିଯାଇଥିଲା। ଏହାକୁ ଦେଖି ଚେତନଙ୍କ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବାରି ହୋଇପଡୁଥିଲା। ତେବେ ତିନିଦିନ ପରେ ଚେତନ ସ୍ବତଃ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ‌ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍‌ ଆରମ୍ଭ ହେବାର ଗୋଟିଏ ଘଣ୍ଟା ପରେ ଚେତନ ଇସ୍ତଫା ଖବର ପ୍ରଚାରିତ ହୋଇଥିଲା।
ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ‌ଭାରତର ସେମିଫାଇନାଲ୍‌ରୁ ବିଦାୟ ପରେ ନଭେମ୍ବରରେ ବିସିସିଆଇ ଚୟନ ସମିତିକୁ ଭାଙ୍ଗି ଦେଇଥିଲା। ଏହାପରେ ଅନ୍ୟ ସଦସ୍ୟ ପରିବର୍ତ୍ତନ ହୋଇଥିଲେ ହେଁ ଚେତନ ମୁଖ୍ୟ ଚୟନକର୍ତ୍ତା ପଦ ବଜାୟ ରଖିଥିଲେ। ଚେତନ ଓହରିଯିବା ପରେ ଚୟନ ସମିତିରେ ସଲିଲ୍‌ ଅଙ୍କୋଲୋ, ଶିବସୁନ୍ଦର ଦାସ, ସୁବ୍ରତ ବାନା‌ର୍ଜୀ ଓ ଏସ୍‌. ଶରତ ଅବଶିଷ୍ଟ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ଶିବସୁନ୍ଦର ସବୁଠୁ ଅଧିକ ୨୩ ଟେଷ୍ଟ ମ୍ୟାଚ୍‌ ଖେଳିବା ଅଭିଜ୍ଞତା ରଖିଛନ୍ତି। ତେଣୁ ଶିବସୁନ୍ଦରଙ୍କୁ ଅନ୍ତରୀଣ ଦାୟିତ୍ବ ମିଳିବା ସମ୍ଭାବନା ରହିଛି।

nis-ad
Leave A Reply

Your email address will not be published.