ବନ୍ୟା ସମୟରେ ତୁର୍କୀ ପଠାଇଥିବା ରିଲିଫ୍‌ ସାମଗ୍ରୀକୁ ଭୂମିକମ୍ପ ରିଲଫ୍‌ ଭାବେ ତୁର୍କୀକୁ ପଠାଇଛି ପାକିସ୍ତାନ!

ଇସ୍‌ଲାମାବାଦ୍‌: ଗତବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ତୁର୍କୀ ପାକିସ୍ତାନକୁ ଯେଉଁ ରିଲିଫ୍‌ ସାମଗ୍ରୀ ପଠାଇଥିଲା ତାକୁହିଁ ପାକିସ୍ତାନ ଭୂମିକମ୍ପ ସହାୟତା ଭାବେ ପୁଣି ତୁର୍କୀକୁ ପଠାଇଥିବା କଥା ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି।
ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀକୁ ନିକଟ ଅତୀତରେ ପାକିସ୍ତାନ ‘ସି-୧୩୦’ ବିମାନରେ ରିଲିଫ୍‌ ସାମଗ୍ରୀ ଓ ଉଦ୍ଧାରକାରୀ ଦଳ ପଠାଇଥିଲା।
ଏବେ ପାକିସ୍ତାନସ୍ଥିତ ସାମ୍ବାଦିକ ଶାହିଦ୍‌ ମାସୂଦ୍‌ ଦାବି କରିଛନ୍ତି ଯେ, ବନ୍ୟା ସମୟରେ ଯେଉଁ ସହାୟତା ପଠାଇଥିଲା, ତାକୁହିଁ ତୁର୍କୀ ଗ୍ରହଣ କରିଛି। ପାକିସ୍ତାନର ‘ଜିଏନ୍‌ଏନ୍‌’ ନିଉଜ୍‌ ଚାନେଲ୍‌ରେ ସେ ଏହି ବିବାଦ ସୃଷ୍ଟିକାରୀ କଥା କହିଛନ୍ତି।
ସେ କହିଛନ୍ତି, ତୁର୍କୀ ପଠାଇଥିବା ସାମଗ୍ରୀ ସବୁକୁ ପୁଣି ଥରେ ପ୍ୟାକେଟ୍‌ରେ ପୂରାଇ ଭୂମିକମ୍ପ ସହାୟତା କହି ପାକିସ୍ତାନ ପୁନଶ୍ଚ ତୁର୍କୀକୁ ପଠାଇଛି।
ତୁର୍କୀର ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ଲାଗି ଏହି ରିପୋର୍ଟ ଲଜ୍ଜାକର ହୋଇଛି।
ଉଲ୍ଲେଖଯୋଗ୍ୟ, ପ୍ରାୟ ୨ ସପ୍ତାହ ପୂର୍ବେ ତୁର୍କୀ ଓ ସିରିୟାରେ ସଂଘଠିତ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୫,୦୦୦ ଟପିଯାଇଛି। ଏହି ଭୂମିକମ୍ପରେ ୨,୬୪,୦୦୦ ଆପାର୍ଟମେଣ୍ଟ୍‌ ଧ୍ବଂସ ହୋଇଯାଇ ଥିବାରୁ ଏବଂ ଅନେକ ମୃତ ଲୋକ ତାଲିକାଭୁକ୍ତ ହୋଇ ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି।

nis-ad
Leave A Reply

Your email address will not be published.