ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ
କଟକ : କଟକସ୍ଥିତ ଶ୍ରୀମା ପ୍ରକାଶନୀର ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଚହଟାସ୍ଥିତ ଶ୍ରୀରାମନିଗମେଶ୍ବର ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସ୍ବାମୀ ଅସୀମାନନ୍ଦ ସରସ୍ବତୀ ତିନିଗୋଟି ପୁସ୍ତକ ନୀଳାଦ୍ରିଶଙ୍କ ଲୀଳାଖେଳା, ଚନ୍ଦନ ପରି ଜୀବନ ଏବଂ ଆସ ବୁଲିଯିବା ଶ୍ରୀମନ୍ଦିରକୁ ଉନ୍ମୋଚନ କରିଥିଲେ | ନୀଳାଦ୍ରିଶଙ୍କ ଲୀଳାଖେଳା ପୁସ୍ତକକୁ ଲେଖିଛନ୍ତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁକାନ୍ତ କିଶୋର ମହାନ୍ତି, ଚନ୍ଦନ ପରି ଜୀବନକୁ ଲେଖିଛନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଏବଂ ଆସ ବୁଲିଯିବା ଶ୍ରୀମନ୍ଦିରର ସଂପାଦନା କରିଛନ୍ତି ହରିହର ତ୍ରିପାଠୀ |
ଏହି ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପ୍ରଫେସର ଦାଶରଥୀ ଦାସ ଏବଂ ସୁଲେଖକ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ | ହରିହର ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ନୀଳାଦ୍ରିଶଙ୍କ ଲୀଳାଖେଳା ପୁସ୍ତର ରଚୟିତା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁକାନ୍ତ କିଶାର ମହାନ୍ତି ଏବଂ ଚନ୍ଦନ ପରି ଜୀବନର ଲେଖକ ବ୍ରହ୍ମଚାରୀ ସତ୍ୟଚୈତନ୍ୟ ପୁସ୍ତକ ଗୁଡ଼ିକ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ମନୁଷ୍ୟ ଅଧ୍ୟାତ୍ମିକତାକୁ ଛାଡ଼ି ପାରିବ ନାହିଁ ଏବଂ ଏକ ଆଧ୍ୟାତ୍ମିକ ଜୀବନ ବଞ୍ଚୁଥିବା ମଣିଷ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ସହିତ ଅସୀମ ଶାନ୍ତି ଲାଭ କରିପାରିଥାଏ ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗୀତିକବି ମନୋଜ ପଟ୍ଟନାୟକ, ସୁଶାନ୍ତ କୁମାର ଭୂୟାଁ, ସୁବାସ ଚନ୍ଦ୍ର ପାଇଟାଲ, ଦେବୀପ୍ରସାଦ ପଟ୍ଟନାୟକ, ଡ. ମଞ୍ଜୁଶ୍ରୀ ପତି, ଜ୍ଞାନରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ଶ୍ରୀମା ପ୍ରକାଶନୀର ପ୍ରକାଶକ ନିମାଇଁ ଚରଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ |