ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୧୦ କେଜି ବଦଳରେ ୫ କେଜି ଚାଉଳ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡ଼ି । ଯାହାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି । ରାଜ୍ୟର ବିଭିନ୍ନ ସ୍ଥାନ ଭଳି ବ୍ରହ୍ମପୁର ସହରରେ ମଧ୍ୟ ବିଜେଡ଼ି ଆନ୍ଦୋଳନ କରିଛି । ବ୍ରହ୍ମପୁର ହିଲ୍ପାଟଣା ସ୍ଥିତ ବିନାୟକ ମନ୍ଦିର ଛକରୁ ବିଜେଡ଼ିର ବହୁ ନେତା ଓ କର୍ମୀ ମାନେ ଏକାଠି ହୋଇ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ବିଜେଡ଼ି ନେତା ଓ କର୍ମୀ ମାନେ ବିଜେପି ତଥା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଏଭଳି ଚାଉଳ କାଟିବା ଦ୍ବାରା ବିଶେଷ କରି ଗରୀବ ମାନେ ସମସ୍ୟାର ସମ୍ମଖୀନ ହେବେ । କେବଳ ଯେ ଗରୀବ ସମସ୍ୟା ଭୋଗିବ ତାହା ନୁହେଁ ବରଂ ଚାଷୀ ମାନେ ମଧ୍ୟ ସମସ୍ୟାରେ ପଡ଼ିବେ । କେନ୍ଦ୍ର ସରକାର ଚାଷୀ ମାନଙ୍କ ଠାରୁ ଚାଉଳ କିଣି ଖାଉଟି ମାନଙ୍କୁ ଦେଉଥିଲା । ଯାହାଫଳରେ ଚାଷୀଙ୍କ ଅର୍ଥନୈତିକ ବିକାଶ ଦିଗରେ କାମ କରିବା ସହିତ ଗରୀବ ଲୋକେ ଏହାଦ୍ବାରା ଉପକୃତ ହେଉଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କେନ୍ଦ୍ର ସରକାର ଗରୀବଙ୍କ ସରକାର ନୁହେଁ ବରଂ ଗରୀବଙ୍କ ପେଟକୁ ନାତ ମାରିବା ସରକାର ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ । ଗରୀବ ହିତାଧିକାରୀ ମାନେ ପୂର୍ବରୁ ୧୦ କେଜି ଚାଉଳ ପାଉଥିଲେ କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ବର୍ତ୍ତମାନ ମାତ୍ର ୫ କେଜି ଚାଉଳ ପାଇବେ । କେନ୍ଦ୍ର ସରକାରଙ୍କ ଏଭଳି ଚାଉଳ ମାରଣା ନୀତିକୁ ବିରୋଧ କରି ଆଜି ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇଛି । ତୁରନ୍ତ ଏଭଳି ନିଷ୍ପତ୍ତିରୁ ନ ଓହରିବ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ଓ ମେୟର । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ସମେତ ବିଜେଡ଼ିର ବହୁ ନେତା ଓ କର୍ମୀ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.