ଗୋପ : ପୁରୀ ଜିଲ୍ଲା ଗୋପ ନିକଟ କୁଶୁପୁରୁରେ ବାହାରିବ ତୈଳ । ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ ନେଇ ସେସମିକ ସର୍ଭେ ପରେ ଆରମ୍ଭ ହେଲା ଖନନ ପ୍ରକ୍ରିୟା। ଆଜି ପୂଜାର୍ଚ୍ଚନା କରାଯାଇ ଖନନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଅଏଲ ଇଣ୍ଡିଆ ପକ୍ଷରୁ ରିଗ ମେସିନ ଦ୍ୱାରା ସମୁଦାୟ ୨୨୭୫ ମିଟର ଖନନ କରାଯିବ । ପର୍ଯ୍ୟାୟକ୍ରମେ ଆଇସୋଲେସନ ଓ ଶେଷରେ ଅଏଲ ଷ୍ଟ୍ରିଙ୍ଗରେ ଖନନ କରାଯିବ ବୋଲି ଜଣାପଡ଼ିଛି । ମୋଟ୍ ୩ଟି ପର୍ଯ୍ୟାୟରେ ୩ ମାସ ପର୍ଯ୍ୟନ୍ତ ଜାରି ରହିବ ଖନନ କାର୍ଯ୍ୟ ।
ରାଜ୍ୟରେ ଏହା ପ୍ରଥମ ତୈଳ ଖନନ କାର୍ଯ୍ୟ। ଡ୍ରିଲିଂ, ଟେଷ୍ଟିଂ, ପ୍ରଡକ୍ସନ ୩ଟି ପର୍ଯ୍ୟାୟରେ ତୈଳ ସନ୍ଧାନ କାର୍ଯ୍ୟ କରିବ ଅଏଲ ଇଣ୍ଡିଆ । ୨ ସପ୍ତାହ ଧରି ରିଗ ମେସିନର ସଫଳ ସ୍ଥାପନ ପରେ ପରେ ଆଜିଠାରୁ ଆରମ୍ଭ ହୋଇଛି ଖନନ ପ୍ରକ୍ରିୟା । ୩ଟି ପଦ୍ଧତିରେ ୨୨୭୫ ମିଟର ଯାଏ ଖନନ କରାଯିବ । ଶେଷ ପର୍ଯ୍ୟାୟରେ ଅଏଲ ଷ୍ଟ୍ରିଙ୍ଗ ପଦ୍ଧତିରେ ସାଢ଼େ ୮ ଇଞ୍ଚ ମୋଟେଇର ଖନନ ହେବ ।
୨୦୧୮ ମସିହାରେ ଅଏଲ ଇଣ୍ଡିଆ ସେସମିକ ସର୍ଭେକୁ ଆଧାର କରି କୁଶୁପୁରର ୮ ଏକର ପରିମିତ ଜମିରେ ଅଏଲ ବୋରେଓ୍ଵଲ କରାଯାଇ ତୈଳ ଖନନ ଆରମ୍ଭ ହୋଇଛି । ବ୍ୟାବସାୟିକ ଦୃଷ୍ଟିକୋଣରୁ ଯଦି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମିଳେ ତେବେ ଗୋପ ଅଂଚଳର ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧି ହେବ । ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ତୈଳ ଉତ୍ତୋଳନ ନେଇ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ । ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ ମିଳିବା ନେଇ ଆଶା କେତେଦୂର ବାସ୍ତବ ରୂପ ନେଉଛି ତାହା ଆଗାମୀ ୩ ମାସ ଭିତରେ ସ୍ପଷ୍ଟ ହେବ ।