ଭୁବନେଶ୍ବର: କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ପରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶାର ଚାଷୀକୁଳ ସ୍ବାର୍ଥ ରକ୍ଷା ପାଇଁ ଭାରତର ମହାମାହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ଏହି ଲଢେଇକୁ ବିଜୁ ଜନତା ଦଳ ତୃଣମୂଳ ସ୍ତରକୁ ନେବ। ସବୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ସଦରମହକୁମା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯେଉଁ ପର୍ଯ୍ୟନ୍ତ ହକ୍ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ।
ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ବାର୍ଥର ଜାଗ୍ରତ ପ୍ରହରୀ ଭାବେ ବିଜୁ ଜନତା ଦଳ କାମ କରୁଛି। ଯେତେବେଳେ ବି ଚାଷୀର ପ୍ରସଙ୍ଗ ଆସିଛି, ଆମେ ରାଜରାସ୍ତାକୁ ଓହ୍ଲାଉଛୁ ଏବଂ ଜନସାଧାରଣଙ୍କ ପାଇଁ ଲମ୍ବା ଲଢେଇ ଲଢିଛୁ। କରୋନ ସମୟରେ ଯେଉଁ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଯୋଗେଇ ଦିଆଯାଉଥିଲା। ଧାନ କିଣା ପ୍ରକିୟା ମଧ ଠିକ୍ ଭାବେ ଚାଲି ନାହିଁ ବୋଲି ସଂଜୟ ଦାସବର୍ମା କହିଛନ୍ତି।
ବିଜେଡି ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ । ଦଳ କହିଛି ଯେ, କେନ୍ଦ୍ର ସରକାର ଏଥର ବଜେଟ୍ରେ କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି। ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା । ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି । ଦଳ କହିଛି କେବଳ ବରଗଡ଼ ପରି ଗୋଟିଏ ଦିଲ୍ଲାରେ ୪ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ ।
ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧିନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ମାଗଣା ଚାଉଳ ମିଳୁଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା । ଏଥିଯୋଗୁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକ ଏମ୍ଏସ୍ପିରୁ ବଞ୍ଚିତ ହେବେ ବୋଲି ଦଳ କହିଛି ।