ବ୍ରହ୍ମପୁର: ଏଇ ଚାରି ଦିନ ତଳେ ସମ୍ପର୍କର ସୂତା ଖିଅରେ ଛନ୍ଦାଛନ୍ଦି ହୋଇ ଆରମ୍ଭ କରିଥିଲେ ନୂଆ ସଂସାର । ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରେ ଝଟକୁଛି ବାହାଘର ତାରିଖ। ପ୍ରଭାଲିକାଙ୍କ ପାଖରେ ଲେଖାଅଛି ଭେନୁଙ୍କ ନାଁ । ହେଲେ ସତ ସତିକା ଜୀବନରେ କିନ୍ତୁ ଆଉ ନାହାନ୍ତି ଉଭୟ ପ୍ରଭାଲିକାଙ୍କ କି ଭେନୁ । ମର୍ମନ୍ତୁଦ ସଡକ ଦୁର୍ଘଟଣା ଲିଭାଇ ଦେଇଛି ଉଭୟଙ୍କ ଜୀବନ ଦୀପ। ସାରା ଜୀବନ ଏକାଠି ରହିବେ ବୋଲି ପରସ୍ପରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଉଭୟ ପାଳନ ଯେମିତି ପାଳନ କରିଛନ୍ତି। ଓଃ । ଏ ଛାତିଥରା ଘଟଣା ଶୁଣି ବିଶ୍ୱାସ କରିହେଉନାହିଁ ।
ଗତ ୧୦ ତାରିଖର ଏ ଦ୍ରୁଶ୍ଯ। ବ୍ରହ୍ମପୁରର ସିଏଚ.ପ୍ରଭାଲିକା ଓ ଇଚ୍ଛାପୁରର ଜି.ବେଣୁ। ବେଶ୍ ହସଖୁସିରେ ଦୁଇ ପରିବାର ଉଭୟଙ୍କ ବିବାହ କରିଥିଲେ। ଖୁବ୍ ଧୁମଧାମ୍ ରେ ଆୟୋଜନ କରାଯାଇଥିଲା ବାହାଘର। ପ୍ରଭାଲିକା ଓ ଭେନୁ ଉଭୟ ଖୁବ୍ ଖୁସି ଥିଲେ। ବିବାହର ସବୁ ରସମ୍ କୁ ଉତ୍ସାହ ସହ ପାଳନ କରିଥିଲେ। ଯାହାର ଭିଡିଓ ଦେଖିଲେ ଆପଣଙ୍କ ପାଟିରୁ ବାହାରି ପଡିବ କି ସୁନ୍ଦର ଯୋଡି, କାହାର ନଜର ନଲାଗୁ। ହେଲେ ସହିପାରିଲାନି ବିଧାତା ଦେଇଗଲା ଏମିତି ଦୁଃଖ ଯାହାକୁ ସହିବା ଅସମ୍ଭବ। ବିବାହର ୨ଦିନ ପରେ ସାଥୀ ହୋଇ ଚାଲିଗଲା ବରବଧୁଙ୍କ ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବଦମ୍ପତି ପ୍ରଭାଲିକା ଓ ଭେନୁଙ୍କର ମୃତ୍ଯୁ ହୋଇଛି।
ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଘଟିଥିଲା ଏହି ଛାତିଥରା ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ସମ୍ମୁଖରେ ବୁଲାଣିରେ ସାମନା ପଟରୁ ଆସୁଥିବା ଟ୍ରାକ୍ଟର ପ୍ରଭାଲିକା ଓ ଭେନୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ସ୍ଥଳର ସେହି ଦ୍ରୁଶ୍ଯ ଦେଖିବା ସମ୍ଭବ ହୋଇପାରୁନଥିଲା। ଖବର ପାଇ ଯେତେବେଳେ ପରିବାର ଲୋକ ଘଟଣାସ୍ଥଳରେ ପହଁଚିଥିଲେ ସତେ ସେମାନଙ୍କ ପାଦ ତଳୁ ମାଟି ଖସିପଡିଥିଲା। ଛାତି ଫଟା ଚିତ୍କାରରେ ଫଶଟି ପଡୁଥିଲା ପରିବେଶ।
ଏପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ଗୋଳନ୍ଥରା ଥାନା ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି। ରୀତିନୀତି ଅନୁସାରେ ବିବାହର ତିନି ଦିନରେ ଉଭୟେ ବାଇକ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଭଗବାନ୍ ଉଭୟଙ୍କ ଆତ୍ମାର ସଦଗତି କରନ୍ତୁ ଏବଂ ଉଭୟଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଧୈର୍ଯ୍ଯ ଦିଅନ୍ତୁ।