ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ ପ୍ରକାଶ; ଅମୃତାଂଶୁ ମହାନ୍ତି ରାଜ୍ୟ ଟପ୍ପର

ଭୁବନେଶ୍ୱର: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ଜାନୁଆରୀ ୨୪ରୁ ଫେବୃଆରୀ ୧ ଯାଏଁ ପରୀକ୍ଷା ହୋଇଥିଲା । ଯାହାର ଫଳ ଆଜି ପ୍ରକାଶ ପାଇଛି । ପ୍ରକାଶଥାଉ କି, ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଜେଇଇ ମେନ୍ ସେସନ୍‌-୧ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଚଳିତବର୍ଷ ମୋଟ ୮.୬ ଲକ୍ଷ ଛାତ୍ରୀଛାତ୍ର ପେପର୍‌-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ଛାତ୍ରୀଛାତ୍ର ପେପର୍‌-୨ ପରୀକ୍ଷା ଦେଇଥିଲେ ।

ଏନ୍‌ଟିିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି । ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ ୱେବ୍‌ସାଇଟ୍‌ରେ ଦେଖିପାରିବେ । ସେହିପରି ଜେଇଇ ମେନ୍ ସେସନ-୧ର ଉତ୍ତର ମଧ୍ୟ ଆଜି ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍ ଜରିଆରେ ଡାଉନ୍‌ଲୋଡ କରିପାରିବେ । ଜେଇଇ ମେନ୍ ସେସନ୍‌-୧ରେ ୨୦ଜଣ ୧୦୦ ପର୍ସେଣ୍ଟାଇଲ ମାର୍କ ରଖିଛନ୍ତି । ସେଥିରୁ ୧୪ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୪ଜଣ ଓବିସି, ଜଣେ ଜେନେରାଲ ଇ ଡ୍ଲ୍ୟୁସି ଏବଂ ଜଣେ ଏସ୍‌ସି ବର୍ଗର ରହିଥିବା ଜଣାପଡ଼ିଛି ।

ତେବେ ଓଡ଼ିଶାର ଅମୃତାଂଶୁ ମହାନ୍ତି ରାଜ୍ୟ ଟପ୍ପର ହୋଇଥିବା ଜଣାପଡ଼ିଛି । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ର ଅମୃତାଂଶୁ ୯୯.୯୭୪ ସ୍କୋର ଅକ୍ତିଆର କରିଛନ୍ତି । ଅମୃତାଂଶୁ ପଦାର୍ଥ ବିଜ୍ଞାନରେ ୯୯.୭୬୦, ରସାୟନ ବିଜ୍ଞାନରେ ୯୯.୯୬୭ ଏବଂ ଗଣିତରେ ୯୯.୯୪୯ ପର୍ସେଣ୍ଟାଇଲ୍ ରଖିଛନ୍ତି । ଗତ ଜାନୁଆରୀ ୨୪, ୨୫, ୨୮,୨୯,୩୦, ୩୧ ଏବଂ ଫେବୃଆରୀ ୧ତାରିଖରେ ପରୀକ୍ଷା ହୋଇଥିବା ବେଳେ ୨୮ତାରିଖରେ କେବଳ ବି.ଆର୍କିଟେକ୍ ଏବଂ ବିପ୍ଲାନ ଲାଗି ପରୀକ୍ଷା ହୋଇଥିଲା । ଅନ୍ୟ ଦିବସରେ ଉଭୟ ବିଇ ଏବଂ ବିଟେକ୍ ଲାଗି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬.୨୮ଲକ୍ଷ ଛାତ୍ର ଏବଂ ୨.୭୭ଲକ୍ଷ ଛାତ୍ରୀର ପରୀକ୍ଷା ଦେଇଥିବା ଜଣାପଡ଼ିଛି । ସେହିପରି ଜେଇଇ ମେନ୍‌ର ୨ୟ ସେସନ୍ ପରୀକ୍ଷା ଏପ୍ରିଲ ୬, ୮, ୧୦, ୧୧, ୧୨ରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.