ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର…

ବ୍ରହ୍ମପୁର : ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇନରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।
ମୀନାକ୍ଷୀ ନଗର ପ୍ରଥମ ଲାଇନର ପ୍ରମୋଦ ନାୟକଙ୍କ ସାନ ଝିଅ ବାଲୁଗାଁ ଅଶୋକ ନଗର ଦ୍ୱିତୀୟ ଲାଇନର କୈଳାଶ ନାୟକଙ୍କ ପୁଅ ଅଜିତ ନାୟକଙ୍କୁ ୨୦୧୮ ମସିହା ଫେବୃଆରୀ ୧୮ ତାରିଖରେ ବିବାହ କରିଥିଲେ । ବିବାହ ପରଠାରୁ ସୁଚିସ୍ମିତାଙ୍କୁ ଶ୍ଵଶୁର ଘର ଲୋକେ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଆସୁଥିଲେ । ସୁଚିସ୍ମିତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ଆଇଟି ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସ୍ତ୍ରୀଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ଦୁଇ ମାସ ତଳେ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୁଚିସ୍ମିତା ନିଜ ବାପା ଘରକୁ ଚାଲି ଆସିଥିଲେ ।

ଜାନୁଆରୀ ମାସରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ କୋର୍ଟର ଆଶ୍ରୟ ନେଇଥିଲେ ସୁଚିସ୍ମିତା । ଚଳିତ ମାସ ୪ ତାରିଖରେ କୋର୍ଟର ଶୁଣାଣି ଥିବା ବେଳେ ଅଜିତ କିମ୍ୱା ତାଙ୍କ ପରିବାର ଲୋକେ ଆସିନଥିଲେ। ତେବେ ମାନସିକ ଯନ୍ତ୍ରଣା ସହ୍ୟ କରିନପାରି ସୁଚିସ୍ମିତା ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ବାପା ଓ ଭଉଣୀ ।

ଆଜି ସୁଚିସ୍ମିତାଙ୍କ ପରିବାର ଲୋକେ ଗୋଷାଣୀନୂଆଗାଁ ଥାନାରେ ସୁଚିସ୍ମିତାଙ୍କ ସ୍ୱାମୀ ଅଜିତ , ଶଶୁର ଓ ଦଅରଙ୍କ ବିରୋଧରେ ଏତଲା ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ମୃତ ସୁଚିସ୍ମିତାଙ୍କ ବାପା ।

nis-ad
Leave A Reply

Your email address will not be published.