ଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା…

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍‌‌ଆଇଏ)ର ଏକ ଶାଖା ପ୍ରତିଷ୍ଠା କରାଯିବ। ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ। ଏନ୍‌‌ଏଆଇଏ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନେବା ବାକି ଅଛି। ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଓଡ଼ିଶାରେ ଏନ୍‌‌ଆଇଏ ଶାଖା ଖୋଲିବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି। ନିକଟରେ ଏନ୍‌‌ଆଇଏର ଏକ ଟିମ୍‌‌ ଭୁବନେଶ୍ୱର ଗସ୍ତରେ ଆସିଥିବା ଅବସରରେ ରାଜ୍ୟର ଗୃହ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମାଓ ମୁକାବିଲା ଏବଂ ଅନ୍ୟ ବେଆଇନ୍‌‌ କାର୍ଯ୍ୟକଳାପ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ନୂଆ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେବେ। ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଏନ୍‌‌ଆଇଏର ଶାଖା ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ସହ ଖୁବ୍‌‌ ଶୀଘ୍ର ଆଉ ଏକ ବୈଠକ ବସିବାକୁ ଯାଉଥିବା ଜଣାପଡ଼ିଛି।

ଏନ୍‌‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କୁ ସକ୍ରିୟ କରିବା ଲାଗି ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି। ଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଆତଙ୍କବାଦୀ ଯୋଜନା କରୁଛନ୍ତି। ଏଣୁ ଓଡ଼ିଶାରେ ମାଓ ସଂଗଠନକୁ ସକ୍ରିୟ କରିବା ଲାଗି ଆତଙ୍କୀ ସଂଗଠନ ଆବଶ୍ୟକ ପାଣ୍ଠି ଯୋଗାଉଥିବାର ସୂଚନା ମିଳିଛି। ଏହା ଉପରେ ଅଧିକ ତଦନ୍ତ କରିବା ଲାଗି ଓଡ଼ିଶାକୁ ଘନ ଘନ ଆସୁଛନ୍ତି ଏନ୍‌‌ଆଇଏ ଟିମ୍‌‌। କୋଲକତାରେ ଏହି ଶାଖା ରହିଥିବାରୁ ଓଡ଼ିଶାକୁ ଆସି ତଦନ୍ତ କରିବାରେ ସମସ୍ୟା ଦେଖା ଦେଉଛି। ଏଣୁ ଓଡ଼ିଶା (ଭୁବନେଶ୍ୱର)ରେ ଏନ୍‌‌ଆଇଏ ଶାଖା ଖୋଲିବା ପାଇଁ ଯୋଜନା ହୋଇଛି। ଉକ୍ତ ଶାଖାରେ ଡିଏସ୍‌‌ପି ପାହ୍ୟାର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଏନ୍‌‌ଆଇଏ ଶାଖା କାମ କରିବ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.