ଲକ୍ଷ ଲକ୍ଷ ଶ୍ରଦ୍ଧାଳୁୁଙ୍କ ଉପସ୍ଥିତିରେ ଜଳିଲା ଝାଡ଼ଦୀପ…

ଢେଙ୍କାନାଳ: ୧୮୭୪ମସିହାରୁ ଆରମ୍ଭ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୧୫୦ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଅନୁଷ୍ଠିତ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଜଣାଯାଇଛି । ସନ୍ଧ୍ୟା ୫ଟା୧୫ରେ ଝାଡରେ ଅଗ୍ନୀ ସଂଯୋଗ ହୋଇଥିଲା । ମହିମା ସ୍ୱାମୀଙ୍କ ଉପାସନା ପୀଠ ଗାଦି ମନ୍ଦିରଠାରେ ଝାଡ ଦୀପ ଲାଗିବା କ୍ଷଣି ‘ମହିମା ଅଲେଖ’ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ହରିବୋଲ ହୂଳହୂଳି ଶବ୍ଦରେ ସମଗ୍ର ମହିମା ଗାଦିରେ ଏକ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି ହୋଇଥିଲା ।ମହିମା ସ୍ୱାମୀ ଉପାସନା ପୀଠଗାଦି ମନ୍ଦିର ସମେତ, ନୀତି ମନ୍ଦିର, ୨୧ ହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଅଖଣ୍ଡ ଜ୍ୟୋତ ମନ୍ଦିର, ଧୂନୀ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ଘଂଟା ଘର, ମହିମା ସ୍ୱାମୀ, ଆଶ୍ରୟ ସ୍ଥଳୀ, ଲତା ଆଶ୍ରମ, ତାଳମୂଳ ମଠ, ନାଟିମା ମଠ, ପାଟଣା ମଠ, ଜାମୁଶରା ମଠ ବର୍ତମାନ ସାଧୁ ସନ୍ୟାସୀଙ୍କ ଗହଣରେ ଚଳଚଂଚଳ ହୋଇପଡିଛି ଅଖଣ୍ଡ ି ମନ୍ଦିର, ଶୂନ୍ୟ ମନ୍ଦିର, ବତି ମନ୍ଦିର, ସ୍ମୃତି ମନ୍ଦିର ଓ ଏକୋଇଶ ହାତିଆ ମନ୍ଦିର ପ୍ରଭୃତି ଉପାସନା ପୀଠ ଗୁଡ଼ିକରେ ଝାଡବତୀ ଲାଗିଥିଲା ।

ସାଧୁ ସମାଜ ପକ୍ଷରୁ ୧୦ଟି ଝାଡ଼ ଦୀପରେ ୧୦ କ୍ୟୁଂଟାଲରୁ ଊର୍ଦ୍ଧ୍ୱ ଘୃତ ବ୍ୟବହାର କରାଯାଇଛି । ଉକ୍ତ ମନ୍ଦିର ଗୁଡ଼ିକରେ ମହିମା ଧର୍ମ ଅନୁଯାୟୀ ପାରମ୍ପରିକ ନୀତିକାର୍ଯ୍ୟ ସମାପନ ପରେ ପିତଳର ବଡ଼ ଝାଡ଼ ଦୀପମାନଙ୍କରେ ଅଖଣ୍ଡବତି ପ୍ରଜ୍ଜ୍ୱଳନ କରାଯାଇଥିଲା । ସନ୍ଧ୍ୟା ୫ଟା୩୦ରେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ୪୬ ପାଖୁଡ଼ା ବିଶିଷ୍ଟ ବଡ଼ ଝାଡ଼ଦୀପରେ ଅଖଣ୍ଡବତୀ ସଂଯୋଗ କରି ବାବା ମନ୍ଦରଧର ଦାସ ଓ ବାବା ଅଭୟ ଦାସ ଘୃତାହୂତି ଦେଇ ଝାଡ଼ନୀତି ଶୁଭାରମ୍ଭ କରିଥିଲେ । ପରେ ଗାଦି ମନ୍ଦିରର ନୀତି ନିଯୁକ୍ତ ସାଧୁମାନେ ପୂର୍ବ ଦ୍ୱାରରେ ଥିବା ୫୧ ପାଖୁଡ଼ା,ଉତର ଦ୍ୱାରରେ ୪୧ ପାଖୁଡ଼ା, ଦକ୍ଷିଣ ଦ୍ୱାରରେ ୩୧ ପାଖୁଡ଼ା ବିଶିଷ୍ଟ ଝାଡରେ ଅଖଣ୍ଡବତୀ ସଂଯୋଗ କରିଥିଲେ । ୫୦ରୁ ଊର୍ଦ୍ଧ୍ୱ ସାଧୁ ଚତୁଃପାଶ୍ୱର୍ରେ ଆଲଟ ଚାମର କରିଥିଲେ । ବିଶ୍ୱର ମଙ୍ଗଳ କାମନା କରି ଜନକଲ୍ୟାଣ ଉଦ୍ଦେଶ୍ୟରେ ଏହି ଅଖଣ୍ଡବତୀ ଲଗା ଯାଉଥିବା ବେଳେ ଏଥିରୁ ଉତ୍ପନ୍ନଆଲୋକ ଅଜ୍ଞାନ ଅନ୍ଧ ବିଶ୍ୱାସ ବିରୋଧରେ ଅଭିପ୍ରେତ ବୋଲି ମହିମା ସ୍ୱାମୀମାନେ ବିଶ୍ୱାସ କରନ୍ତି । ଆଜି ପ୍ରାତଃ ୩ଟା ୧୫ ମିନିଟରେ ନୀତି ମନ୍ଦିରରୁ ସମସ୍ତ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର, ୬ ମୁଠା ସୁନା ଚାମର, ୮ଟି ରୂପା ଗରା, ୫ଟି ରୂପା ଗିନା, ରୂପା ଓ ସୁନା ଥାଳି, ଝାଡ଼ୁ, ୬୦ଟି ରୂପା ଚାମର ପୋଲିସ ସୁରକ୍ଷା ମଧ୍ୟରେ ଅଣାଯାଇଥିଲା । ସକାଳ ୮ଟାରେ କଡ଼ା ସୁରକ୍ଷା ମଧ୍ୟରେ ନୀତି ମନ୍ଦିରରୁ ସମସ୍ତ ସୁନା ଓ ରୂପା ଛତ୍ର, ପିତଳ ଝାଡ଼ ଶଗଡ଼ି ସାହାଯ୍ୟରେ ଗାଦି ମନ୍ଦିରକୁ ନିଆଯାଇଥିଲା ।

ମଧ୍ୟାହ୍ନ ନୀତି ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢେ ୧୨ଟାରେ ଶେଷ ହୋଇଥିଲା । ଏହି ଅବସରରେ ବହୁ ତ୍ୟାଗୀ (ଅପର ସନ୍ନ୍ୟାସୀ)ଙ୍କୁ କୌପୀନ ଓ ମୂର୍ତି ସାଧୁ (ପର ସନ୍ନ୍ୟାସୀ)ଙ୍କୁ ବକ୍କଳ ପ୍ରଦାନ କରାଯାଇଥିଲା ।ରୂପା ଗରାରେ ନୀତି କୂଅରୁ ପାଣି ଅଣାଯାଇ ସମସ୍ତ ଉପାସନା ପୀଠ ଗୁଡ଼ିକୁ ଶୋଧନ କରାଯାଇଥିଲା । ପରେପରେ ସୁନା ଗିନାରେ ଚନ୍ଦନ, ଅଗୁର ଓ କର୍ପୂର ମିଶ୍ରିତ ଜଳ ସିଂଚନ ପୂର୍ବକ ରୂପା ଝାଡୁରେ ଛେରା ପହଁରା କରାଯାଇଥିଲା । ଗାଦି ମନ୍ଦିରରେ ବକ୍କଳଧାରୀ ମହିମା ସମାଜ ସଭାପତି ସାଧୁ ପବିତ୍ର ମୋହନ ବାବା ଓ ଧର୍ମାଧ୍ୟକ୍ଷ ନରେନ୍ଦ୍ର ବାବା ଛେରା ପହଁରା କରିଥିଲେ । ଏହି ଅବସରରେ ୬୦ ମୂର୍ତୀ ବକ୍କଳଧାରୀ ସାଧୁ ରୂପା ଚାମରରେ ଗାଦି ମନ୍ଦିର ଚତୁଃପାଶ୍ୱର୍ରେ ଚାମର ସେବା କରିଥିଲେ । ୪ଟା ୪୫ରେ କ୍ଷୀରନୀତି ଲାଗି କରାଯାଇ ଭୋର ୫ଟାରେ ମହିମା ସ୍ୱାମୀଙ୍କୁ ଅହ୍ମଣିଆ ଭୋଗ ଲାଗି କରାଯାଇଥିଲା ।ପବିତ୍ର ମୋହନ ବାବାଙ୍କ ଅଧ୍ୟକ୍ଷତାରେ ଗାଦି ମନ୍ଦିର ମୁଖ୍ୟ ପଶ୍ଚିମ ଦ୍ୱାରରେ ବାବା ପବିତ୍ର ମୋହନ ଦାସ, ଶୁକଦେବ ଦାସ, ପୁର୍ବ ଦ୍ୱାରରେ ମନ୍ଦରଧର ବାବା, ଦକ୍ଷିଣ ଦ୍ୱାରରେ ଆନନ୍ଦ ବାବା, ଉତର ଦ୍ୱାରରେ ଭୀମସେନ ବାବା ଝାଡଦ୍ୱିପରେ ଅଗ୍ନୀ ସଂଯୋଗ କରିଥିଲେ । ସେହିପରି କୌପନିଧାରୀ ମହିମା ସମାଜ ସଭାପତି ରଘୁନାଥ ବାବାଙ୍କ ଅଧ୍ୟକ୍ଷତାରେ ଅଖଣ୍ଡବତୀ ମନ୍ଦିରରେ କ୍ଷେତ୍ରବାସୀ ବାବା, ଅକ୍ଷୟ ବାବା, ଜ୍ୟୋତି ମନ୍ଦିରରେ ଗୋବର୍ଦ୍ଧନ ବାବା, ବିମ୍ବାଧର ବାବା, ଗଣେଶ୍ୱର ବାବା, ଧୂନୀ ମନ୍ଦିରରେ ରାଜାରାମ୍ ବାବା, ବିନୟ ବାବା, କାର୍ତିକ ବାବା, ଭଜନନିତିରେ ଅଭୟ ବାବା, ବିରଚିଂ ବାବା, ପଂଚାନନ ବାବା, ସଭାମଣ୍ଡପରେ ରଘୁନାଥ ବାବା,ଅବିନାସୀ ବାବା, ସୁଶାନ୍ତ ବାବା, ବୀଣାକାର ବାବା, ଅରୂପ ବାବା, ପ୍ରମୁଖ ଦାୟୁତ୍ୱ ନିର୍ବାହ କରୁଛନ୍ତି ।

ପ୍ରତିକୂଳ ପାଗ ସତ୍ୱେ ମାଘ ମେଳା ମହୋତ୍ସବରେ ଚଳିତ ବର୍ଷ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ମହିମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁ ଆସିଥିବା ବେଳେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶର ସମେତ ବିଭିନ୍ନ ରାଜ୍ୟରୁ ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ନେପାଳ, ଭୁଟାନ ସମେତ ଅନ୍ୟ ବିଦେଶୀ ରାଷ୍ଟ୍ରର ପର୍ଯ୍ୟଟକଙ୍କ ଉପସ୍ଥିତି ମେଳାକୁ ଚଳଚଂଚଳ କରି ଦେଇଛି । ବିଭିନ୍ନ ହୋଟେଲ୍‌, ଜଳଖିଆ ଦୋକାନ, ଚାଟ, ଖେଳଣା, ବାସନ କୁସନ, କୃଷି ଯନ୍ତ୍ରପାତି ଇତ୍ୟାଦି ବିକ୍ରି କରିବା ପାଇଁ ଷ୍ଟଲ୍ କରାଯାଇଛି । ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଯାତ୍ରା ପାର୍ଟି, ଅସ୍ଥାୟୀ ଫିଲ୍ମ ହଲ୍‌, ରାମଦୋଳି ଆଦି ବିଭିନ୍ନ ମନୋରଞ୍ଜନଧର୍ମୀ ଅନୁଷ୍ଠାନ ମାନଙ୍କ ଉପସ୍ଥିତି ପରିବେଶକୁ ବେଶ୍ ମନୋରମ କରିଦେଇଛି ।

nis-ad
Leave A Reply

Your email address will not be published.