ଆଦାନି ବିବାଦ ଯୋଗୁଁ ସଂସଦରେ ପୁଣି ହଟ୍ଟଗୋଳ

ନୂଆଦିଲ୍ଲୀ: ଆଜି ଦ୍ବିତୀୟ ଦିନରେ ବି ବିରୋଧୀ ଦଳମାନେ ଆଦାନି ଗ୍ରୁପ୍‌ ବିରୋଧରେ ଉଠିଥିବା ଜାଲିଆତି ଅଭିଯୋଗ ଉପରେ ଆଲୋଚନା କରିବା ଲାଗି ଦାବି କରି ସଂସଦରେ ପ୍ରତିବାଦ ଓ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଆଜି ମଧ୍ୟ ୧୬ ବିରୋଧୀ ଦଳ ପୁଣି ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରକୋଷ୍ଠରେ ସମବେତ ହୋଇଥିଲେ। ଆଦାନି ଗ୍ରୁପ୍‌ ଜାଲିଆତି କରିଛି ବୋଲି ‘ୟୁଏସ୍‌ ସର୍ଟ-ସେଲର୍‌ ‘ହିଣ୍ଡେନ୍‌ବର୍ଗ’ ରିସର୍ଚ’ ଘୋଷଣା କରିବା ପରେ ଭାରତୀୟ ନିବେଶକମାନଙ୍କ ଅଂଶଧନ ବୁଡ଼ିବାରେ ଲାଗିଛି। ଏହି ଘଟଣାର ସଂସଦୀୟ ପାନେଲ୍‌ ଅଥବା ସୁପ୍ରିମ୍‌ କୋର୍ଟଙ୍କ ନିଯୁକ୍ତ କମିଟିଦ୍ବାରା ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଥିଲେ।

ଭିତ୍ତିହୀନ ଦାବି ଉତ୍ଥାପନ ନ କରିବାକୁ କହି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା‌ ସାଂସଦମାନଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିବା ବ‌େଳେ ସେଗୁଡ଼ିକ ଅପ୍ରାସଙ୍ଗିକ କହି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସାଂସଦମାନଙ୍କଦ୍ବାରା ଆଗତ ସମସ୍ତ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଫଳରେ ଉତ୍‌କ୍ଷିପ୍ତ ହୋଇ ବିରୋଧୀ ସାଂସଦମାନେ ବଡ଼ ପାଟିରେ ସ୍ଲୋଗାନ୍‌ ଦେବା ସହିତ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ଏଭଳି ବାତାବରଣ ସତ୍ତ୍ବେ ସଂସଦର ବଜେଟ୍‌ ଅଧିବେଶନର କାର୍ଯ୍ୟଧାରା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ ଡକାଇଛନ୍ତି।

ଲୋକସଭାରେ କଂଗ୍ରେସର ହୁଇପ୍‌ ମନିକମ୍‌ ଠାକୁର ମଧ୍ୟ ପଚାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଯୋଗୁଁ ହେଉଥିବା କ୍ଷତି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଉ ନାହନାନ୍ତି।

ଆଦାନି ବିବାଦ ଉପରେ କଂଗ୍ରେସ ଫେବ୍ରୁଆରି ୬ ତାରିଖ ଦିନ ‘ଏଲ୍‌ଆଇସି’ ଓ ‘ଏସ୍‌ବିଆଇ’ ଅଫିସ ବାହାରେ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି।

nis-ad
Leave A Reply

Your email address will not be published.