ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିଷେନ୍ଗଙ୍ଗା ଓ ରାଟେଲ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ନୂଆଦିଲ୍ଲୀ ଓ ଇସ୍ଲାମାବାଦ ମଧ୍ୟରେ ଉପୁଜିଥିବା ମତଭେଦକୁ ଦୁଇଟି ପୃଥକ୍ ପ୍ରକ୍ରିୟାରେ ସମାଧାନ କରିବା ନିମନ୍ତେ ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା ଲାଗି ବିଶ୍ବବ୍ୟାଙ୍କ୍ ନେଇଥିବା ନିଷ୍ପତ୍ତି ଉପରେ ଗୁରୁବାର ଦିନ ଭାରତ ସନ୍ଦେହ ବ୍ୟକ୍ତ କରିଛି।
ଉଲ୍ଲେଖଯୋଗ୍ୟ, ଏହି ବିବାଦ ସମାଧାନ ନିମନ୍ତେ ଇସ୍ଲାମାବାଦ ରାଜି ନ ହେବାରୁ ସୀମାପାରି ନଦୀ ପରିଚଳାନା ନିମନ୍ତେ ୬୨ ବର୍ଷ ତଳେ ସ୍ବାକ୍ଷରିତ ‘ଇଣ୍ଡସ୍ ୱାଟର୍ ଟ୍ରିଟି’କୁ (ସିନ୍ଧୁ ଜଳ ଚୁକ୍ତି) ସୀମକ୍ଷା କରି ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଗତ ସପ୍ତାହରେ ଭାରତ ପାକିସ୍ତାନକୁ ନୋଟିସ୍ ଜାରି କରିଥିଲା।
ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍ଚି କହିଛନ୍ତି, ବିଶ୍ବବ୍ୟାଙ୍କ୍ ଏହି ଚୁକ୍ତିକୁ ବ୍ୟାଖ୍ୟା କରିବା ଅବସ୍ଥାରେ ଅଛି ବୋଲି ମୋର ମନେହୁଏ ନାହିଁ। ଏହା ହେଉଛି ଆମ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପ ସମୟରେ ଏହି ଚୁକ୍ତିକୁ ବିଶ୍ଳେଷଣ କରାଯାଇ କାର୍ଯ୍ୟ କରାଯାଇ ପାରିବ ବୋଲି ସେଥିରେ ବ୍ୟବସ୍ଥା ରହିଛି ବୋଲି ଆମେ ଜାଣୁ।
ସୂଚନାଯୋଗ୍ୟ, ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା ଲାଗି ବିଶ୍ବବ୍ୟାଙ୍କ୍ ଘୋଷଣା କରିବା କିଛି ମାସ ପରେ ଉପରୋକ୍ତ ଚୁକ୍ତିକୁ ସଂଶୋଧନ କରିବା ଲାଗି ପାକିସ୍ତାନକୁ ନୋଟିସ୍ ପଠାଇ ଭାରତ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ମଧ୍ୟସ୍ଥତା ନ୍ୟାୟାଳୟ ନିଯୁକ୍ତି ପ୍ରସଙ୍ଗରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି।
ଏ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବାଗ୍ଚି ସାମ୍ବାଦିକମାନଙ୍କୁ କହିଛନ୍ତି, ୧୯୬୦ ମସିହାର ‘ଇଣ୍ଡସ୍ ୱାଟର୍ସ ଟ୍ରିଟି’ରେ ପରିବର୍ତ୍ତନ ନିମନ୍ତେ ଜାନୁଆରି ୨୫ ତାରିଖ ଦିନ ଭାରତର ‘ଇଣ୍ଡସ୍ ୱାଟର୍ କମିସନର୍’ ତାଙ୍କର ପାକିସ୍ତାନୀ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଉକ୍ତ ଚୁକ୍ତିର କ’ଣ କ’ଣ ଉଲ୍ଲଂଘନ ହେଉଛି ସେ ବିଷୟରେ ସରକାରୀସ୍ତରରେ ବୁଝାମଣା କରିବା ଲାଗି ପାକିସ୍ତାନକୁ ସୁଯୋଗ ଦେବା ହେଉଛି ଏହି ନୋଟିସର ଉଦ୍ଦେଶ୍ୟ। ଏଥିପାଇଁ ପାକିସ୍ତାନକୁ ୯୦ ଦିନ ସମୟ ଦିଆଯାଇଛି। କିନ୍ତୁ, ଏ ପର୍ଯ୍ୟନ୍ତ ପାକିସ୍ତାନ କି, ବିଶ୍ବବ୍ୟାଙ୍କ୍ ଏହା ଉପରେ କୌଣସି ଟିପ୍ପଣୀ ଦେଇଥିବା ମୁଁ ଜାଣିନାହିଁ।