ଦେଶର ଘରୋଇ ବିମାନଗୁଡ଼ିକ ୨୦୨୨ରେ ୫୪୬ଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି: ସରକାର…

ନୂଆଦିଲ୍ଲୀ: ୨୦୨୨ ବର୍ଷରେ ଦେଶ ଭିତରେ ବିମାନ ଚଳାଚଳ ସମୟରେ ଘରୋଇ ବିମାନ ସେବା ଯୋଗାଇଥିବା ଏୟାରଲାଇନ୍ସର ବିମାନଗୁଡ଼ିକ ମୋଟ ୫୪୬ଟି ଯାନ୍ତ୍ରିକ/ବୈଷୟିକ ତ୍ରୁଟି (ସ୍ନାଗ୍‌)ର ସମ୍ମୁଖୀନ ହୋଇଥିଲା ବୋଲି ଗୁରୁବାର ଦିନ ସରକାର ସଂସଦରେ କହିଛନ୍ତି।
ଏଗୁଡ଼ିକ ମଧ୍ୟରୁ ଦେଶର ସର୍ବବୃହତ ବିମାନ ସେବା ଇଣ୍ଡିଗୋ ୨୧୫ ଟି ସ୍ନାଗ୍‌ ର ସମ୍ମୁଖୀନ ହୋଇଥିବାବେଳେ ସ୍ପାଇସ୍‌ ଜେଟ୍‌ ୧୪୩ଟି ସ୍ନାଗ୍‌ ଦେଖିଥିଲା ଏବଂ ଭିଷ୍ଟାରାରେ ୯୭ଟି ସ୍ନାଗ୍‌ ରହିଥିଲା।
ସଂସଦର ଲୋକସଭାକୁ ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଏୟାର ଇଣ୍ଡିଆ ୬୪ଟି ସ୍ନାଗ୍‌ ର ସମ୍ମୁଖୀନ ହୋଇଥିବାବେଳେ ଗୋଫାଷ୍ଟ ଏବଂ ଆକାଶ ଏୟାର ଦ୍ୱାରା ରିପୋର୍ଟ କରାଯାଇଥିବା ସ୍ନାଗ୍‌ ସଂଖ୍ୟା ଯଥାକ୍ରମେ ୭ ଏବଂ ୬ ରେ ରହିଥିଲା।
ସେହିପରି ୨୦୨୨ରେ ଏୟାର ଏସିଆ (ଭାରତ) ୮ଟି ସ୍ନାଗ୍‌ ଦେଖିଥିଲା, ଆଲାଏନ୍‌ସ ଏୟାର ୩ଟି ସ୍ନାଗ୍‌ , ଫ୍ଲାଏ ବିଗ୍‌ (୧), ଟ୍ରୁଜେଟ୍‌ (୧) ଏବଂ ବ୍ଲୁଡାର୍ଟ ଏଭିଏସନ୍‌ (୧) ସ୍ନାଗ୍‌ ରିପୋର୍ଟ କରିଥିଲା। ଗତ ଦୁଇ ବର୍ଷ ମଧ୍ୟରେ ବିମାନ ସେବା ମୋଟ ୧,୦୯୦ ସ୍ନାଗ୍‌ ର ସମ୍ମୁଖୀନ ହୋଇଥିଲା। ୨୦୨୧ରେ ଏହାର ସଂଖ୍ୟା ୫୪୪ ଥିବାବେଳେ ୨୦୨୨ରେ ଏହା ୫୪୬କୁ ବୃଦ୍ଧି ପାଇଛି।
ଦେଶରେ କମ୍‌ ମୂଲ୍ୟର ବିମାନ ସେବା ଯୋଗୁଁ ଦେଶରେ ଅଧିକ ବୈଷୟିକ ତ୍ରୁଟି ରିପୋର୍ଟ ହୋଇଛି କି ନାହିଁ ସେ ସମ୍ପର୍କରେ ଏକ ପ୍ରଶ୍ନରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂ ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବିମାନ ଚଳାଚଳ ସମୟରେ ବୈଷୟିକ ସ୍ନାଗ୍‌ ଅନୁଭୂତ ହୁଏ। ଏଗୁଡ଼ିକ ବିମାନରେ ଫିଟ୍‌ ହୋଇଥିବା ସିଷ୍ଟମ୍‌/ ଉପକରଣ/ ଉପାଦାନଗୁଡ଼ିକର ଅନୁପଯୁକ୍ତ କାର୍ଯ୍ୟ / ତ୍ରୁଟି ହେତୁ ହୋଇପାରେ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.